କନକ ବ୍ୟୁରୋ: ମଦ ପିଇବା ଏକ ଭଲ ଅଭ୍ୟାସ ନୁହେଁ । ମଦରେ ଥିବା ଆଲକହଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଅଳ୍ପ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ଅନେକ ସମୟରେ ହିତକର ହୋଇଥାଏ । ଏକଥାକୁ ସହଜରେ ସମସ୍ତେ ଗ୍ରହଣ କରିପାରିବେ ନାହିଁ । କିନ୍ତୁ ମଦ ବୋତଲ ଉପରେ ବୈଧାନିକ ସତର୍କ ସୂଚନା ଦେବା ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ସମୟରେ ଲୋକଙ୍କ ମତକୁ ଆଧାର କରି ଏହା କହିଛନ୍ତି ସୁପ୍ରିମକୋର୍ଟ ।

Advertisment

ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଦାଏର କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ମଦ ବିଷୟରେ ଏପରି ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ । କିଛି ଲୋକଙ୍କ ମତରେ ଅଳ୍ପ ମଦ ପିଇବା ଶରୀର ପାଇଁ ଭଲ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବାରୁ ଯେପରି ତମାଖୁ ପକେଟ୍ରେ ଫଟୋଚିତ୍ର ସହ ବୈଧାନିକ ସତର୍କ ସୂଚନାକୁ ବାଧ୍ୟତାମୂଳକ କରାଯାଇଛି, ସେପରି ମଦ ବୋତଲରେ ମଧ୍ୟ କରାଯାଉ ବୋଲି ପିଆଇଏଲ୍ ଦାୟର କରାଯାଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପାଇଁ ସିଧା ସିଧା ମନାକରିଦେଇଛନ୍ତି । ଏହାକୁ ଏକ ନୀତିଗତ ନିଷ୍ପତି ବୋଲି କହିବା ସହ ଏହା କରିବାର ଅଧିକାର ସରକାରଙ୍କ ରହିଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

ମଦକୁ ନେଇ ବିଭିନ୍ନ ଗବେଷଣା ଚାଲିଛି । କେତେ ମଦ ପିଇବା ଦରକାର, ତାର ପରିମାଣ କେତେ ହେବା ଦରକାର ତାକୁ ନେଇ ମଧ୍ୟ ବିଭିନ୍ନ ବିତର୍କ ସାମ୍ନାକୁ ଆସିଥାଏ । କିନ୍ତୁ ମଦକୁ ନେଇ ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ମଦ ସମ୍ପର୍କିତ ଆଲୋଚନାକୁ ଖୋରାକ ଯୋଗାଇଛି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ, ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ୍ ଏସ ରବୀଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ପିଆଇଏଲ ଦାୟର କରିଥିବା ଅଶ୍ୱିନୀ ଉପାଧ୍ୟାୟଙ୍କ ଯୁକ୍ତି ହେଉଛି ‘ ମଦ ପିଇବାକୁ ବନ୍ଦ କରିବା କଥା କହୁନାହାନ୍ତି । କିନ୍ତୁ ମଦ ଉପରେ ବୈଧାନିକ ସତର୍କତା ଜରୁରୀ । ଅନେକ ରୋଗ ଓ ଦୁର୍ଘଟଣା ପାଇଁ ମଦ ଦାୟୀ ହୋଇଥିବାରୁ ସିଗାରେଟ ଭଳି ମଦ ଉପରେ ଏହି କଥା ଲେଖାଯିବା ଦରକାର । ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାହାର କରିନେବା ପାଇଁ ତାଗିଦ କରିଥିଲେ । ଏପରିକି ଲ’ କମିସନରେ ଆବେଦନ କରିବା ନିବେଦନକୁ ମଧ୍ୟ ଗ୍ରହଣ କରିନାହାନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ମଦର ଉପକାରିତା କମ ଓ ଅପକାରିତା ଅଧିକ ହୋଇଥିବାରୁ ବିଶେଷଜ୍ଞ ଏହାକୁ ନେଇ ଭିନ୍ନ ଭିନ୍ନ ବୟାନ ରଖିଛନ୍ତି । ମଦର ଉପକାରିତା ସ୍ଥାନ ଓ ପରିମାଣ ଉପରେ ନିିର୍ଭର କରେ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ।

ସାମାଜିକ କର୍ମୀ ମଦକୁ ସବୁ ଅନର୍ଥର କାରଣ ବୋଲି କହିଥାନ୍ତି । ସେପଟେ ଅଳ୍ପ ମଦର ପରିମାଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ବୋଲି ମଧ୍ୟ କହିଛନ୍ତି କିଛି ବିଶେଷଜ୍ଞ । ଏହାକୁ ନେଇ ଗବେଷଣା ହେବା ଦରକାର ଓ ମଦର ପରିମାଣକୁ ନେଇ ସ୍ପଷ୍ଟତା ଆସିବାର ଆବଶ୍ୟକତା ରହିଛି ।