ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା : ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ସମସ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ରହିଲା କାଏମ

285

କନକ ବ୍ୟୁରୋ : କେବଳ ପୁରୀ ଛଡା ରାଜ୍ୟରେ ଅନ୍ୟ କେଉଁଠି ହୋଇପାରିବ ନାହିଁ ରଥଯାତ୍ରା । ଆଜି ଏ ସଂପର୍କିତ ଏକାଧିକ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ଚାହିଁଲେ ଆଗାମୀ ବର୍ଷ ସବୁଠି ରଥଯାତ୍ରା ହୋଇପାରିବ । କରୋନାକୁ ଦୃଷ୍ଟିରେ ରଖି ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଏହା ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ବୋଲି କହିଛନ୍ତି କୋର୍ଟ । କୋର୍ଟ ମହାମାରୀ ବିଷୟରେ ବିଶେଷଜ୍ଞ ନୁହନ୍ତି, ତେଣୁ ଏହି ନୀତିରେ ହସ୍ତକ୍ଷେପ କରିବା ଠିକ ନୁହେଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

ଜୁନ୍ ୨୩ ତାରିଖରେ ଓଡିଶା ହାଇକୋର୍ଟ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଆବେଦନକୁ ଖାରଜ କରିଦେଇଥିଲେ । ଆବେଦନକାରୀମାନେ ଦର୍ଶାଇଥିଲେ ଯେ, ଓଡିଶାର ଅନ୍ୟ ସ୍ଥାନରେ କରୋନାର ସେତେଟା ସଂକଟଜନକ ସ୍ଥିତି ନାହିଁ, ତେଣୁ ରଥଯାତ୍ରା କରାଯାଇ ପାରିବ । ଏପରିକି ଆବେଦନକାରୀଙ୍କ ମଧ୍ୟରୁ ଜଣେ ଓକିଲ କହିଥିଲେ ଯେ, ଓଡିଶା ସରକାର ଅନେକ ବ୍ୟବସାୟିକ ଅନୁଷ୍ଠାନକୁ ଅନୁମତି ଦେବା ସହ ମଦ ଦୋକାନ ବି ଖୋଲିଛନ୍ତି । କିନ୍ତୁ ରଥଯାତ୍ରାକୁ ଅନୁମତି ଦେଇ ନାହାନ୍ତି । କିନ୍ତୁ କୋର୍ଟ ଏସବୁ ଯୁକ୍ତିକୁ ଗ୍ରହଣ କରିନଥିଲେ ।