କନକ ବ୍ୟୁରୋ: କୋଲାକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଆଜି ସୁପ୍ରିମକୋର୍ଟ ବି କଡା ଆଭିମୁଖ୍ୟ ଦେଖାଇଛନ୍ତି । ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରା ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମୃତ୍ୟୁର ୧୨ ଘଣ୍ଟା ପରେ, କାହିଁକି ଏଫଆଇର କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଡାକ୍ତରଙ୍କୁ ବି କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି ।
‘ସ୍ଥିତିରେ ସୁଧାର ପାଇଁ ଆଉଏକ ଦୁଷ୍କର୍ମ ଯାଏଁ ଦେଶ ଅପେକ୍ଷା କରିପାରିବ ନାହିଁ’ ଏହି ଧାଡ଼ିଏ କଥାରୁ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଜଣାପଡୁଛି। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଣାଣି କରି ଖୁବ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପଶ୍ଚିମବଙ୍ଗ ସରକାର, ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ନିନ୍ଦା କରିବା ସହ ଏକାଧିକ ପ୍ରଶ୍ନ କରିଛନ୍ତି କୋର୍ଟ।
ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲ କ’ଣ କରୁଥିଲେ?
ଥାନାରେ ଏତଲା ଦେବାରେ କାହିଁକି ବିଳମ୍ୱ କରାଗଲା?
ପରିବାର ସଦସ୍ୟଙ୍କୁ କାହିଁକି ବିଳମ୍ୱରେ ମୃତଦେହ ଦିଆଗଲା?
ହସ୍ପିଟାଲରେ ଭଙ୍ଗାରୁଜା ହେଲା, ପୋଲିସ କ’ଣ କରୁଥିଲା?
ପୁରା ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମୃତ୍ୟୁର ୧୨ ଘଣ୍ଟା ପରେ, କାହିଁକି ଏଫଆଇର କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ପୁରା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଅବହେଳାକୁ ଦାୟୀ କରିବା ସହ, ଗୁରୁବାର ସୁଦ୍ଧା ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
କୋଲକାତା ଆରଜି କର ମେଡିକାଲ କଲେଜର ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଅଗଷ୍ଟ ୯ ତାରିଖରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ ଜେ.ବି. ପର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର। ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବି କପିଲ ଶିବଲ। ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ଏହାରି ଭିତରେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗତ ୪ ଦିନରେ ୫୩ ଘଣ୍ଟା ଜେରା କରିଛି।
ସୁପ୍ରିମକୋର୍ଟ କହିଛନ୍ତି କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ସର୍ବପ୍ରଥମ। ସେଥିପାଇଁ ଏକ ନ୍ୟାସନାଲ ଟାସ୍କଫୋର୍ସ ଗଠନ କରାଯାଇଛି। କର୍ତବ୍ୟରତ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କ’ଣସବୁ ପଦକ୍ଷେପ ନିଆଯିବ ସେନେଇ ୩ ସପ୍ତାହ ମଧ୍ୟରେ ଅନ୍ତରୀଣ ଓ ୨ ମାସରେ ବିସ୍ତୃତ ରିପୋର୍ଟ ଦେବ ଏହି ଟାସ୍କଫୋର୍ସ।