ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ । କୋଟିଆରେ ନିର୍ବାଚନ କରାଇବା ନେଇ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ । ୧୯ ରେ ପରବର୍ତ୍ତୀ ଶୁଣାଣି

121

କନକ ବ୍ୟୁରୋ : କୋଟିଆ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶା ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଓଡିଶାର କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଇବା ନେଇ ଚାଲିଥିବା ପ୍ରସ୍ତୁତି ଉପରେ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ଭିତରେ ଜବାବ୍ ଦାଖଲ କରିବାକୁ ଆନ୍ଧ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି  ।
କହିରଖୁ କି ଦୀର୍ଘବର୍ଷ ହେବ ଓଡିଶା ସୀମାନ୍ତ କୋଟିଆ ଅଞ୍ଚଳ କୁ ଦଖଲ କରିବାକୁ ଆନ୍ଧ୍ର ସରକାର ଯୋଜନା ଚଳାଇଛନ୍ତି । ଏନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର କୋଟିଆରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ସହ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ସେଠାରେ ସ୍କୁଲ ନିର୍ମାଣ କରିବା ଓ ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇବା ସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କି କିଛିଦିନ ହେବ କୋଟିଆ ପଞ୍ଚାୟତରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା  । ଏନେଇ ବି କିଛି ଲୋକ ପ୍ରାର୍ଥୀପତ୍ର ଦାଖଲ କରିସାରିଥିଲେ । ହେଲେ ଏକଥା ପ୍ରଘଟ ହେବା ପରେ ଓଡିଶା ସରକାର ଆକ୍ସନ ମୋଡକୁ ଆସିଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଲୋକଙ୍କୁ ବୁଝା ସୁଝା କରି ସେମାନଙ୍କ ପ୍ରାର୍ଥୀପତ୍ର ପତ୍ୟାହାର କରାଯାଇଛି । ଏହା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ୍ ଦାଖଲ କରିବାକୁ କୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।