କନକ ବ୍ୟୁରୋ: ରାଜଦ୍ରୋହ ଆଇନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ବିଚାରାଧିନ ମାମଲାର ପୁନର୍ବିଚାର ଯାଏଁ କୌଣସି ନୂଆ ରାଜଦ୍ରୋହ ମାମଲା ଦାଏର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେନ୍ଦ୍ର ପକ୍ଷରୁ ଏନେଇ ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି କରିବେ । ଯେଉଁ ରାଜଦ୍ରୋହ ମାମଲା ଗୁଡିକ ବିଚାରାଧିନ ରହିଛି ସେଗୁଡିକ ଉପରେ ସ୍ଥିତାବସ୍ଥା ଜାରି ରହିବ । ଏହାସହ ଯେଉଁମାନଙ୍କ ଉପରେ ରାଜଦ୍ରୋହ ମାମଲା ଚାଲିଛି ଏବଂ ଜେଲରେ ଅଛନ୍ତି ସେମାନେ ଜାମିନ୍ ପାଇଁ ସମ୍ପୃକ୍ତ ନ୍ୟାୟାଳୟରେ ଅପିଲ କରିପାରିବେ ବୋଲଇ କୋର୍ଟ କହିଛନ୍ତି ।

Advertisment

ଗୋଟେପଟେ ଜିଲ୍ଲା ଏସପି ବା ତାଙ୍କଠାରୁ ଉପର ସ୍ତରର ଅଧିକାରୀଙ୍କ ମଞ୍ଜୁରୀ ବିନା ରାଜଦ୍ରୋହ ଧାରାରେ ଏଫଆଇଆର ଦାୟର କରାଯାଇ ପାରିବ ନାହିଁ । ବର୍ତ୍ତମାନ ପାଇଁ ଏହି ଆଇନ ଉପରେ ରୋକ ଲାଗୁ ହେବା ଅନୁଚିତ ହେବ ବୋଲି ସଲିସିଟର ଜେନେରାଲ କହିଛନ୍ତି । ଅନ୍ୟପକ୍ଷରେ ରାଜଦ୍ରୋହ ଆଇନ ଉପରେ ତକ୍ରାଳ ଭିତ୍ତିରେ ରୋକ ଲଗା ଯିବାକୁ ୟାଚିକାକର୍ତ୍ତାଙ୍କ ପକ୍ଷରୁ ପକ୍ଷ ରଖି ଆଇନଜୀବୀ କପିଲ ସିବଲ ଦାବି କରିଛନ୍ତି । ଏହା ପୂର୍ବରୁ ୟାଚିକାକର୍ତ୍ତାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା ଯେ, ରାଜଦ୍ରୋହ ଆଇନର ବୈଧତା ମାମଲାର ବିଚାର ପାଇଁ ଯଦି କୋର୍ଟ ଏକ ବଡ଼ ବେଞ୍ଚ ପଠାଇବା ସପକ୍ଷରେ ଅଛନ୍ତି, ତେବେ ଏହି ସମୟରେ ଆଇନ ଉପରେ ରୋକ ଲାଗୁ କରିବା ଦରକାର ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ରାଜଦ୍ରୋହ ଆଇନର ଶୁଣାଣି କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ବିଚାରପତି ଏନଭି ରମଣ, ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲୀ । ଏହି ଆଇନର ପୁନର୍ବିଚାର ଓ ପୁନଃ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ରାଜଦ୍ରୋହ ଆଇନର ଧାରା ୧୨୪ ଏର ବୈଧତା ଉପରେ ପୁନର୍ବାର ବିଚାର କରାଯିବ । ତେଣୁ ଏହାର ବୈଧତା ପର୍ୟ୍ୟନ୍ତ ଏହି ମାମଲାର ଶୁଣାଣି ନ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।