କନକ ବ୍ୟୁରୋ: ଦେଶବ୍ୟାପୀ ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ ଦେବାକୁ ଥିବା ନିୟମକୁ ନେଇ ନୂଆ ଗାଇଡଲାଇନ୍ ପ୍ରସ୍ତୁତ କରିବେ ସୁପ୍ରିମକୋର୍ଟ । ଜଷ୍ଟିସ୍ ୟୁୟୁ ଲଳିତ, ଜଷ୍ଟିସ୍ ଏସ୍ ରବୀନ୍ଦ୍ରଭଟ୍ଟ ଓ ଜଷ୍ଟିସ୍ ପିଏସ୍ ନରସିଂହାଙ୍କ ୩ଜଣିଆ ଖଣ୍ଡପୀଠ ଏଥିପାଇଁ କାମ ଆରମ୍ଭ କରିଛନ୍ତି ।ଏହି ପ୍ରସଙ୍ଗରେ ସହାୟତା କରିବାକୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଦାୟିତ୍ୱରେ ଅଛନ୍ତି । ନ୍ୟାସନାଲ ଲିଗାଲ ସର୍ଭିସେସରୁ ମଧ୍ୟ ଜବାବ ମଗାଯାଇଛି । ଆସନ୍ତା ମେ’୧୦ ତାରିଖରେ ଆଗାମୀ ଶୁଣାଣି ଦିନ ଧାର୍ଯ୍ୟ ହୋଇଛି ।
Advertisment
ଏଏନଆଇ ସୂଚନା ମୁତାବକ, ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଇରଫାନ୍ ଓରଫ୍ ଭାୟୁ ମେୱାତୀଙ୍କ ଏକ ଆବେଦନ ଉପରେ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି । ଇରଫାନଙ୍କୁ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନିମ୍ନ ଆଦଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ସେହି ଶୁଣାଣି ଉପରେ ହାଇକୋର୍ଟ ମଧ୍ୟ ମୋହର ଲଗାଇଥିଲେ । ଇରଫାନ୍ ଏହି ଶୁଣାଣି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ମାସରେ ସୁପ୍ରିମକୋର୍ଟ ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ ଦେବା ପାଇଁ ନ୍ୟାୟିକ ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ନିଜେ କାର୍ଯ୍ୟ ଆରମ୍ଭ କରିଥିଲେ । ଅଦାଲତ ଅପରାଧର ପ୍ରକୃତି ଉପରେ ବିଚାର କରି ନୂଆ ଗାଇଡଲାଇନ୍ ପ୍ରକାଶ କରିବେ ଯାହା ଦ୍ୱାରା କେଉଁ ଅପରାଧୀଙ୍କୁ ଫାଶୀ ଦିଆଯିବ କି ନାହିଁ ସ୍ଥିର କରିବା ଜଜ୍ ମାନଙ୍କ ପାଇଁ ସହଜ ହେବ ।