ବାୟୁ ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କୁ ଚରମବାଣୀ ଶୁଣାଇଲେ ସୁପ୍ରିମକୋର୍ଟ: ୨୪ ଘଂଟା ଭିତରେ ପଦକ୍ଷେପ ନେବାକୁ ଦେଲେ ଚେତାବନୀ 

117

କନକ ବ୍ୟୁରୋ: ଦିଲ୍ଲୀ ବାୟୁ ପ୍ରଦୁଷଣ ମାମଲାରେ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା । ବିଭିନ୍ନ ଅଧିକାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇିଥିବାବେଳେ ଛୋଟ ପିଲାଙ୍କୁ କେଉଁ ପରିସ୍ଥିତିରେ ସ୍କୁଲ ଯିବାକୁ ନିର୍ଦେଶ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଆଗାମୀ ଆଦେଶ ପଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ପୁଣିଥରେ ଚିନ୍ତା ପ୍ରକାଶ କଲେ ସର୍ବୋଚ୍ଚ ନାୟାଳୟ । ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସର୍ବୋଚ୍ଚ ନାୟାଳୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି ଚରମବାଣୀ । ଏନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ୨୪ ଘଂଟାର ଡେଡ୍ଲାଇନ୍ ଦେଇଛନ୍ତି କୋର୍ଟ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍.ଭି ରମଣାଙ୍କ ଏବଂ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଗୁରୁବାର ଦିଲ୍ଲୀ ପ୍ରଦୂଷଣକୁ ନେଇ ଶୁଣାଣୀ କରି ପୁଣିଥରେ କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ ବର୍ଷିଛନ୍ତି । ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ କାମ କରୁଥିବା କମିଶନ୍ ଫର୍ ଏୟାର କ୍ୱାଲିଟି ମାନେଜମେଂଟ୍ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନାୟାଳୟ । ତେବେ ବାୟୁ ପ୍ରଦୂଷଣରେ ସୁଧାର ଆଣିବା ପାଇଁ ଆସନ୍ତା ୨୪ ଘଂଟା ଭିତରେ ଆକ୍ସନ୍ ନେବାକୁ ଚେତାବନୀ ଦେଇଛନ୍ତି କୋର୍ଟ ।

ସେପଟେ ଶୁକ୍ରବାର ଠାରୁ ଦିଲ୍ଲୀର ସମସ୍ତ ସ୍କୁଲକୁ ପୁଣିଥରେ ବନ୍ଦ କରାଯିବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭର୍ସନା ପରେ ଚେତିଲେ ଦିଲ୍ଲୀ ସରକାର । ଆଗାମୀ ଆଦେଶ ପ୍ରର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ  ଗୋପାଲ ରାୟ ଘୋଷଣା କରିଛନ୍ତି । ଦିଲ୍ଲୀରେ ବାୟୁର ମାନ ଅତି ନିମ୍ନମାନର ଥିବାବ ଭିତରେ ସ୍କୁଲ କଣପାଇଁ ଖୋଲାଗଲା ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରଦୂଷଣ ମଧ୍ୟରେ ବଡ ଲୋକଙ୍କୁ ଘରେରହି କାମ କରିବାକୁ ପରାମର୍ଶ ଦିଆଯାଉଥିବାବେଳେ ପିଲାମାନେ କେମିତି ସ୍କୁଲ ଯିବେ ବୋଲି ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ଭର୍ସନା ପରେ ପୁଣିଥରେ ରାଜଧାନୀରେ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି ।

ଦିଲ୍ଲୀ ବାୟୁ ପ୍ରଦୁଷଣ ର ଖରାପ ମାନ ଏବେ ସୁଦ୍ଧା ସୁଧୁରିବା ନାଁ ଧରୁନି । ସୁପ୍ରିମକୋର୍ଟ ବାରମ୍ବାର ସରକାରଙ୍କ କାଯ୍ୟପନ୍ଥାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି । ଏହାରି ଭିତରେ ଦିଲ୍ଲୀ ସରକାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।