ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ, ଦୁଷ୍କର୍ମ ମାମଲାରେ ଟୁ-ଫିଙ୍ଗର ଟେଷ୍ଟ ବନ୍ଦ।

298

କନକ ବ୍ୟୁରୋ: ଗୋଟିଏ ଆବେଦନର ଶୁଣାଣି କରି ଦୁଷ୍କର୍ମ ମାମଲାରେ ଟୁ-ଫିଙ୍ଗର ଟେଷ୍ଟକୁ ବ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଦୋଷୀ ବିବେଚନା କରାଯିବ ବୋଲି କୋର୍ଟ କହିଛନ୍ତି । ଏଭଳି ପରୀକ୍ଷା ଜାରି ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କୋର୍ଟ । ହରିଆଣାର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଚନ୍ଦ୍ରଚୁଡଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏକଥା କହିଛନ୍ତି କି ଏହି ଟେଷ୍ଟ ବିଜ୍ଞାନସମ୍ମତ ନୁହେଁ ବଂର ପୀଡିତାଙ୍କୁ ଅଧିକ ମାନସିକ ଆଘାତ ଦେଉଛି । ତେଣୁ ଏହି ଟେଷ୍ଟର କୌଣସି ଆବଶ୍ୟକତା ନାହିଁ ଓ ଏହାକୁ ନିଷେଧ କରିବାକୁ କୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଟୁ-ଫିଙ୍ଗର ଟେଷ୍ଟକୁ ନେଇ କୋର୍ଟ କହିଛନ୍ତି,
– ଏଭଳି ଟେଷ୍ଟର କୌଣସି ବୈଜ୍ଞାନିକ ଆଧାର ନାହିଁ
– ଦୁଷ୍କର୍ମ ଭଳି ଏଭଳି ଟେଷ୍ଟ ମଧ୍ୟ ମହିଳାଙ୍କୁ ବାରମ୍ବାର ଆଘାତ ପହଞ୍ଚାଏ
– ଏଭଳି ପରୀକ୍ଷାରେ ଦୁଷ୍କର୍ମ ହୋଇଛି କି ନାହିଁ ପ୍ରମାଣିତ ହୋଇପାରିନଥାଏ
– ପୀଡ଼ିତାଙ୍କୁ ଆହୁରି ବେଦନା ଦେବା ସହ ଆଘାତ ମଧ୍ୟ ଦେଇଥାଏ
– ଟୁ-ଫିଙ୍ଗର ଟେଷ୍ଟ ବଦଳରେ ଉପଯୁକ୍ତ ପଦ୍ଧତି ଅବଲମ୍ବନ କରାଯାଇପାରିବ
– ଏଭଳି ପରୀକ୍ଷା କଲେ ତାକୁ ଅଦାଲତ ଅବମାନନା ଭାବେ ବିଚାର କରାଯିବ

ଟୁ-ଫିଙ୍ଗର ଟେଷ୍ଟ ନକରିବା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ ପାଠ୍ୟକ୍ରମରେ ସାମିଲ ଥିବା ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯିବା ଆବଶ୍ୟକ ବୋଲି କହିଛନ୍ତି କୋର୍ଟ । ଆଇନଜୀବୀ ମଧ୍ୟ ଏଭଳି ଟେଷ୍ଟକୁ ଗ୍ରହଣ କରିପାରି ନାହାଁନ୍ତି । ଏହା ପୀଡିତାଙ୍କୁ ଆଘାତ ଦେବା ସହ ମାନବିକ ଅଧିକାର ଉଲଂଘନ କରୁଛି ବୋଲି କହିଛନ୍ତି । ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ପରୀକ୍ଷା ପାଇଁ ବହୁ ରାଜ୍ୟରେ ଏବେ ବି ଏହି ଟେଷ୍ଟ କରାଯାଉଛି । ଯାହାକୁ ଚାଲେଞ୍ଜ କରି ସୁପିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହରିଆଣାର ଜଣେ ବ୍ୟକ୍ତି ।