ସୁପ୍ରିମକୋର୍ଟରେ ଟାଟା ଗ୍ରୁପର ବଡ ବିଜୟ । ସାଇରସ ମିସ୍ତ୍ରୀଙ୍କୁ ବହିଷ୍କାର ସପକ୍ଷରେ ରାୟ ଶୁଣାଇଲେ କୋର୍ଟ

164

କନକ ବ୍ୟୁରୋ: ଲୁଣଠାରୁ ସଫ୍ଟୱୟାର ପର୍ଯ୍ୟନ୍ତ ସବୁ ବ୍ୟବସାୟରେ ପାଦ ଥାପି ଘରେ ଘରେ ପରିଚିତ ଟାଟା ଗ୍ରୁପ୍ । ଶହେ ବିଲିୟନ ଡଲାରରୁ ଉଦ୍ଧ୍ୱର୍ ଟାଟା ଗ୍ରୁପର ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୧୬ରେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ସାଇରସ ମିସ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିବା ନିଷ୍ପତିକୁ ଠିକ୍ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମିସ୍ତ୍ରୀଙ୍କୁ ପୁର୍ନବାର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବା ନିମନ୍ତେ ନ୍ୟାସନାଲ କମ୍ପାନୀ ଲ’ ଅପିଲେଟ ଟ୍ରିବ୍ୟୁନାଲ ଆଦେଶକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱାଧିନ ଖଣ୍ଡପୀଠ କହିଛନ୍ତି, ସାଇରସ ମିସ୍ତ୍ରୀଙ୍କୁ ଅପସାରଣ କରିବା ନିଷ୍ପତି ସମ୍ପୂର୍ଣ୍ଣ ଠିକ୍ । ଆଇନର ସମସ୍ତ ଧାରା ଟାଟା ଗ୍ରୁପ ସପକ୍ଷରେ ଥିବା କଥା ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ, ବିଚାରପତି ଏଏସ୍ ବୋପନ୍ନା ଓ ଭି ରାମସୁବ୍ରମନିୟନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି । ୨୦୧୬ରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା । ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତି ଦିଆଯାଉ ବୋଲି ୨୦୧୯ ଡିସେମ୍ବର ୧୮ତାରିଖରେ ନ୍ୟାସନାଲ କମ୍ପାନୀ ଲ’ ଅପିଲେଟ ଟ୍ରିବ୍ୟୁନାଲ ଆଦେଶ ଦେଇଥିଲେ । ଉକ୍ତ ଆଦେଶକୁ ଟାଟା ଗ୍ରୁପ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ । ଡିସେମ୍ବର ୧୭ରେ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ । କିନ୍ତୁ ୪ବର୍ଷ ପରେ ୨୦୧୬ ଅକ୍ଟୋବରରେ ନାଟକୀୟ ଢଙ୍ଗରେ ଟାଟାର ଅଧ୍ୟକ୍ଷ ପଦରୁ ସାଇରସ୍ ମିସ୍ତ୍ରୀଙ୍କୁ ବିଦା କରାଯାଇଥିଲା । ଏହାପରେ ବିଭିନ୍ନ ଦିଗ ଓ କାରଣକୁ ନେଇ ଚାଲିଥିଲା ଚର୍ଚ୍ଚା । ଖାସ୍ କରି ରତନ୍ ଟାଟାଙ୍କ ସହ ମତଭେଦ ସାଇରସ୍ ମିସ୍ତ୍ରୀଙ୍କ ପାଇଁ ମହଙ୍ଗା ପଡିବା କୁହାଯାଉଥିଲା । ଟାଟା ପରିବାରରେ ଜନ୍ମ ନ’ହୋଇ ସାଇରସ୍ ଦ୍ୱିତୀୟ ବ୍ୟକ୍ତି ଭାବେ ଟାଟା ସନ୍ସର ଚେୟାରମ୍ୟାନ ଦାୟିତ୍ୱ ନେଇଥିଲେ ।

ରତନ ଟାଟା ଯେଉଁସବୁ ସଂପତି ଅକ୍ତିଆର କରିଥିଲେ, ତାକୁ କ୍ଷତି ହେଉଥିବା ଦର୍ଶାଇ ସାଇରସ୍ ବିକ୍ରି କରିବାରେ ବ୍ୟସ୍ତ ରହୁଥିଲେ । ୟୁରୋପ୍ର ଇସ୍ପାତ କାରବାରକୁ ଯେଉଁଭଳି ସାଇରସ୍ ଡିଲ୍ କରିଥିଲେ, ତାହା ବିବଦାକୁ ବଢାଇଥିଲା । ଋଣ ବୋଝ କମ୍ କରିବାକୁ, ଯେଉଁ କଂପାନୀ ଭଲ ପ୍ରଦର୍ଶନ କରୁଥିଲା ତା ଉପରେ ଜୋର ଦେଉଥିଲେ ସାଇରସ୍ । ରତନ୍ ଟାଟାଙ୍କ ବ୍ୟବସାୟିକ ମଡେଲ୍ ଥିଲା ଅକ୍ତିଆର କରି ଆଗକୁ ବଢିବା । ହେଲେ ସାଇରସ୍ ଲାଭ ଦେଉଥିବା କଂପାନୀକୁ ବିକ୍ରି କରିବା ଉପରେ ଜୋର୍ ଦେଉଥିଲେ । ତେବେ ଏହି ସବୁ କାରଣ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଥିଲା ।