କନକ ବ୍ୟୁରୋ : ଏଲ୍ଡରମ୍ୟାନ୍ ନିଯୁକ୍ତି ମାମଲାରେ କେଜ୍ରିୱାଲ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଏମସିଡି ଅର୍ଥାତ୍ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ ମନୋନୀତ କରିବା ପାଇଁ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ , ଦିଲ୍ଲୀର ଉପରାଜ୍ୟପାଳ ସ୍ୱାଧୀନ ଭାବେ ଏମସିଡିରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ ମନୋନୀତ କରିପାରିବେ। ଏଥିପାଇଁ ତାଙ୍କୁ ଦିଲ୍ଲୀ ସରକାରଙ୍କ ମନ୍ତ୍ରିମଣ୍ଡଳର ପରାମର୍ଶର ଆବଶ୍ୟକତା ନାହିଁ।
ଏଲ୍ଡରମ୍ୟାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆପ୍ ସରକାରଙ୍କୁ ଚକିତ କରି କହିଛନ୍ତି, ଉପରାଜ୍ୟପାଳ ଦିଲ୍ଲୀ ମହାନଗର ନିଗମରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ ମନୋନୀତ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡିରେ ସଦସ୍ୟ ମନୋନୀତ କରିବା ପାଇଁ ଉପରାଜ୍ୟପାଳଙ୍କ କ୍ଷମତା ଏକ ବୈଧାନିକ କ୍ଷମତା, କାର୍ୟ୍ୟନିର୍ବାହୀ କ୍ଷମତା ନୁହେଁ। ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ୧୯୯୩ ଆଇନ ଦିଲ୍ଲୀ ସରକାରଙ୍କ ସହ ପରାମର୍ଶ ନକରି ଏଲ୍ଡରମ୍ୟାନ ନିଯୁକ୍ତ କରିବାର ଅଧିକାର ଉପରାଜ୍ୟପାଳଙ୍କୁ ଦେଇଛି।
କିଏ ଏହି ଏଲ୍ଡରମ୍ୟାନ?
୧୯୫୭ର ଦିଲ୍ଲୀ ନଗର ନିଗମ ଅଧିନିୟମ ଅନୁସାରେ, ଉପରାଜ୍ୟପାଳ ୨୫ ବର୍ଷରୁ ଅଧିକ ବୟସର ୧୦ଜଣଙ୍କୁ ନିଗମରେ ନାମିତ କରିପାରିବେ । ଏମାନଙ୍କ ପାଖରେ ନଗରପାଳିକା ପ୍ରଶାସନର ବିଶେଷ ଅଭିଜ୍ଞତା ରହିଥାଏ । ଏମାନେ ମେୟର ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ବୋଲି ନିୟମ ରହିଛି । କିନ୍ତୁ ଗତ ନଭେମ୍ବରରେ ହୋଇଥିବା ନଗର ନିଗମ ନିର୍ବାଚନ ପରେ ଏହି ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଥିଲା
କଥା ହେଉଛି, ମନୋନୀତ ପାର୍ଷଦ ବା ‘ଏଲ୍ଡରମ୍ୟାନ୍ ମେୟର ନିର୍ବାଚନରେ ଭାଗ ନେଇପାରିବାର ନିୟମ ନାହିଁ । କିନ୍ତୁ ଗତ ନିର୍ବାଚନରେ ଏମାନେ ଭାଗ ନେଇଥିଲେ । ଆପ୍ ସରକାର ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଶୀର୍ଷ ଆଦାଲତ ଏହା ଉପରେ ରୋକ ଲଗାଇବା ପରେ ମେୟର ନିର୍ବାଚନ ହୋଇଥିଲା । ହେଲେ ବିଜେପି ପକ୍ଷରୁ ମଧ୍ୟ ଏହାକେୁ ନେଇ ମାମଲା ଦାଏର ହୋଇଥିଲା ।