ସୁପ୍ରିମକୋର୍ଟରେ ଆଜି ଆସିବ ବଡ ରାୟ । ଆଧାର ନେଇ ଆଜି ହଟିବ ସସପେନ୍ସ । ପଦୋନ୍ନତିରେ ସଂରକ୍ଷଣ ନେଇ ବି ସର୍ବୋଚ୍ଚ କୋର୍ଟଙ୍କ ଆସିବ ଫୈସଲା

42

କନକ ବ୍ୟୁରୋ: ଆଧାରର ସାମ୍ବିଧାନିକ ବୈଧତା ନେଇ ଆଜି ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ରାୟ ଶୁଣାଇବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ । ଏହାକୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସ୍କିମରେ ବାଧ୍ୟତାମୂଳକ କରାଯିବ କି ନାହିଁ ସର୍ବୋଚ୍ଚ ଅଦାଲତ ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିିପାରନ୍ତି । ଆଧାରର ବୈଧତାକୁ ନେଇ ବିଭିନ୍ନ ଆବେଦନର ଶୁଣାଣି କରି ମେ ମାସରେ ସାମ୍ବିଧାନିକ ପୀଠ ରାୟକୁ ସଂରକ୍ଷିତ ରଖିଥିଲେ । ଫଳରେ ଆଧାରକୁ ନେଇ ରହିଥିବା ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟିବ ବୋଲି ଆଶା କରାଯାଉଛି । ଆଧାରର ବୈଧତାକୁ ନେଇ ଅନେକ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି ।

ସୁପ୍ରିମକୋର୍ଟରେ ଏମାନେ ନିଜ ନିଜ ପକ୍ଷ ରଖିଛନ୍ତି । ଆଧାର ବ୍ୟବସ୍ଥାରେ ଲୋକଙ୍କ ଗୋପନୀୟତା ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ଆବେଦନକାରୀମାନେ ଯୁକ୍ତି ଦର୍ଶାଇଛନ୍ତି । ଏହା ସହିତ ଆଧାର ତଥ୍ୟ ଲିକ୍ ହେବା ନେଇ ନିୟମିତ ଭାବେ ଅନେକ ଖବର ପ୍ରକାଶ ପାଉଥିବା କଥା ମଧ୍ୟ ସେମାନେ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଅନ୍ୟପଟେ ୧୧୮ କୋଟି ଲୋକଙ୍କ ପାଖରେ ଆଧାର ପହଁଚିଛି ବୋଲି କେନ୍ଦ୍ର ସରକାର କହିଛି ଓ ଏହାକୁ କେତେକ ସରକାରୀ ସ୍କିମରେ ବାଧ୍ୟତାମୂଳକ କରାଯାଇଛି ।

ଆଧାର ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଛି ଅନେକ ମାମଲା

• ଆଧାରକୁ ବିରୋଧ କରୁଥବା ଆବଦେନକାରୀଙ୍କ ଦଲିଲ ହେଲା, ଆଧାର କାର୍ଡ ପାଇଁ ବାୟୋମେଟ୍ରିକରେ ତଥ୍ୟ ନେବା ବ୍ୟକ୍ତିଗତ ଅଧିକାରର ଉଲ୍ଲଙ୍ଘନ ।

• ବିଭିନ୍ନ ସରକାରୀ ଯୋଜନାରେ ଆଧାର ସଂଯୋଗକୁ ବାଧ୍ୟତାମୂଳର କରାଯିବା ଦ୍ୱାରା ସରକାର ନାଗରିକଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବାକୁ ଚାହିୁଁଛନ୍ତି ।

• ଆଧାର ତଥ୍ୟ ସୁରକ୍ଷିତ ନୁହେଁ । ଡାଟା ଲିକ ହେବାର ସମ୍ଭାବନା ଅଧିକ । କିଛି ଦିନ ମଧ୍ୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ତେବେ ଆଧାର ନେଇ ସରକାରଙ୍କ ଦଲିଲ ହେଲା ଆଧାରରେ ସରକାରୀ ଯୋଜନାର ଲାଭ ଠିକ ଲୋକଙ୍କ ପାଖରେ ପଂହଚି ପାରୁଛି ।

• ଟଙ୍କା ବାଟମାରଣାର ରାସ୍ତା ବନ୍ଦ ହୋଇପାରିଛି । ଆଧାର ତଥ୍ୟ ସଂପ ର୍ଣ୍ଣ ସୁରକ୍ଷିତ । ବ୍ୟାଙ୍କ ଆକାଉଂଟ ଓ ଆୟକର ସହ ଆଧାର ସଂଯୋଗ ଦ୍ୱାରା କଳାଧନ ଉପରେ ଲଗାମ ଲାଗିପାରିବ । ଗୋଟିଏ ଦେଶ ଗୋଟିଏ ପରିଚୟ ଜରୁରୀ ।

ଆଜି ସୁପ୍ରିମକୋର୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ୫ଟି ମାମଲାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଆସନ୍ତୁ ଜାଣିବା କେଉଁ କେଉଁ ମାମଲା ଉପରେ ରାୟ ଶୁଣାଇବେ ।

୧.ଆଧାର ଯୋଜନାର ସାମ୍ବିଧାନିକ ବୈଧତା ନେଇ ଉଚ୍ଚତମ ନ୍ୟାୟାଳୟର ରାୟ

୨. ଏସସି/ଏସଟି ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ମାମଲା

୩. କୋର୍ଟ ଶୁଣାଣିର ସିଧା ପ୍ରସାରଣ ନେଇ ଆସିବ ରାୟ

୪. ଜଷ୍ଟିସ ଲୋୟା ମାମଲାରେ ପୁନର୍ବିଚାର ଆବେଦନ ଉପରେ ନିଷ୍ପତି ଆସିବ

୫.ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ଜନପ୍ରତିନିଧିଙ୍କ ପଦବୀ ଛଡାଇନେବା ପାଇଁ କିଏ ଆଦେଶ ଦେବେ? ( ନିର୍ବାଚନ କମିଶନ ନା ବିଧାନସଭା ସଚିବ)