ହେମନ୍ତ ସୋରେନଙ୍କ ଗିରଫଦାରୀ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ତିନି ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ କରିବେ ମାମଲାର ଶୁଣାଣି ।

78

କନକ ବ୍ୟୁରୋ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମାମଲାର ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି । ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଯାହାର ଆଜି ଶୁଣାଣି ହେବ ।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ. ଏମ. ସୁନ୍ଦରେଶ ଓ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ସକାଳ ସାଢ଼େ ୧୦ଟାରେ ଏହି ମାମଲାର ଶୁଣାଣି କରିବେ । ଇଡିର ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ସୋରେନ୍ ତାଙ୍କ ଆବେଦନରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ଝାଡଖଣ୍ଡ ହାଇକୋର୍ଟ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ସୋରେନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା । ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ଅନ୍ୟପଟେ ସୋରେନଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଆଦେଶ ନମିଳିବା ପର୍ଯ୍ୟନ୍ତ ଜେଏମ୍ଏମ୍ ନେତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଯାହା ସମ୍ପୂର୍ଣ୍ଣ ଭାବେ ମନ୍ଦ ଉଦ୍ଦେଶ୍ୟରେ କରାଯାଇଛି । ଆଉ ସରକାର ଭାଙ୍ଗିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କୋର୍ଟଙ୍କୁ କହିଥିଲେ ହେମନ୍ତଙ୍କ ଓକିଲ ।