କନକ ବ୍ୟୁରୋ : ଦିଲ୍ଲୀ ସରକାରର ବଦଳି ଓ ନିଯୁକ୍ତି ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି । ଏନେଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ନୂଆ ଏନସିଟିଡି (ସଂଶୋଧନ) ଆଇନ-୨୦୨୩ ବିରୋଧରେ ଆବେଦନ କରିଥିଲେ । କହିରଖୁ କି ଏହି ଆଇନ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ସଂସଦରେ ଏହି ବିଲ ସପକ୍ଷରେ ୧୩୧ ଜଣ ସାଂସଦ ସମର୍ଥନ କରିଥିବା ବେଳେ ଏହାକୁ ୧୦୨ ଜଣ ସାଂସଦ ବିରୋଧ କରିଥିଲେ । ହେଲେ ଏହାପରେ ଏହି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଛି ।

Advertisment

ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି କି କୋର୍ଟଙ୍କ ତତ୍ୱାବଧାନରେ ଏହି ନୂଆସେବା ଆଇନର ପରୀକ୍ଷଣ କରାଯିବ । ଏହାସହ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ କୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ଏହାସହ ଏହି ନୋଟିସର ଜବାବ ୪ ସପ୍ତାହ ମଧ୍ୟରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦିଲ୍ଲୀ ସରକାରଙ୍କ ଅଧ୍ୟାଦେଶ ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନରାଲ ତୁଷାର ମେହେଟ୍ଟା ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ କହିଥିଲେ କି ଏହା ଉପରେ ତାଙ୍କର କୌଣସି ଆପତ୍ତି ନାହିଁ । ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ମେ’୧୯ ତାରିଖରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ କୋର୍ଟରେ ଶୁଣାଣି ଚାଲିଥିବା ବେଳେ କେନ୍ଦ୍ର ସରକାର ଏହି ଆଇନ ଉପରେ ସଂସଦର ଉଭୟ ଗୃହରେ ବିଧେୟକ ଆଣି ତାହାକୁ ପାରିତ କରିନେଇଛନ୍ତି ।