କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଉ କିଛି ସମୟ ପରେ ମହାରାଷ୍ଟ୍ର ମାମଲାର ରାୟ ଆସିବାକୁ ଥିବାବେଳେ ଦେବେନ୍ଦ୍ର ଫଡନାଭିସ ସରକାରର ନୀତିଗତ ନିଷ୍ପତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୩ ଦଳ ପୁଣି ସୁପ୍ରିମକୋର୍ଟ ଯାଇଛନ୍ତି । ଶିବସେନା, ଏନସିପି ଓ କଂଗ୍ରେସ ଏହି ଆବେଦନ କରିଛନ୍ତି । ଏଥିରେ ଜଳସେଚନ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ କ୍ଲିନଚିଟ ଦିଆଯିବାକୁ ଚ୍ୟାଲେଞ୍ଜ କରାଯାଇଛି ।
ଏଥିରେ କୁହାଯାଇଛି ଯେ, ବହୁମତ ପ୍ରମାଣିତ ନ କଲା ଯାଏଁ ଦେବେନ୍ଦ୍ର ଫଡନାବିସ କୌଣସି ନିଷ୍ପତି ନେଇପାରିବେ ନାହିଁ । ତେଣୁ ଅଜିତ ପାୱାରଙ୍କ କ୍ଲିନଚିଟ ଦିଆଯିବା ନେଇ ଏସସିବି ନିଆଯାଉଥିବା ନିଷ୍ପତି ଉପରେ ରୋକ ଲଗାଯାଉ । ଅଜିତ ପାୱାରଙ୍କ ନାଁର ୭୦ ହଜାର କୋଟିର ଦୁର୍ନୀତି ଅଭିଯୋଗ ରହିଥିଲା । ବିଜେପି ମଧ୍ୟ ୍ଅଜିତଙ୍କୁ ସମାଲୋଚନା କରିଥିଲ । ଏବେ ଉପମୁଖ୍ୟମନ୍ତ୍ରୀ ହେବାର ଦୁଇଦିନ ପରେ ଅଜିତଙ୍କ ଉପରୁ ଅଭିଯୋଗକୁ ହଟାଇନିଆଯାଇଛି । ସେପଟେ ଜୟନ୍ତ ପାଟିଲକୁ ଏନସିପି ବିଧାୟକ ଦଳ ନେତା ଭାବେ ଗ୍ରହଣ କରିଛି ବିଧାନସଭା ସଚିବାଳୟ ।
ସେପଟେ ଆଉ କିଛି ସମୟ ପରେ ମହାରାଷ୍ଟ୍ର ମାମଲାରେ ଆସିବ ସୁପ୍ରିମକୋର୍ଟଙ୍କ ମହା ରାୟ । ସାଢେ ୧୦ଟାରେ ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ମହାରାଷ୍ଟ୍ର ସରକାର ଗଠନକୁ ନେଇ ଶିବସେନା-ଏନସିପି- କଂଗ୍ରେସ ପକ୍ଷରୁ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖି ସର୍ବୋଚ୍ଚ ନ୍ୟାୟଳୟର ୩ ଜଣିଆ ଖଣ୍ଡପୀଠ । ଆଜି ରାୟ ପ୍ରକାଶ କରିବେ । ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାରର ଭାଗ୍ୟ ନିର୍ଣ୍ଣୟ କରିବେ କୋର୍ଟ । ଫଡନାଭିସ୍ ବହୁମତ ପରୀକ୍ଷାର ସମ୍ମୁଖୀନ କେବେ ହେବେ ତାହା ଆଜିର ରାୟ ପରେ ସ୍ପଷ୍ଟ ହେବ । ବିନା ସଂଖ୍ୟାଗରିଷ୍ଠତାରେ ଫଡନଭିସ୍ ସରକାର ଗଠନ କରିଥିବା ଅଭିଯୋଗରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା- ଏନସିପି ଓ କଂଗ୍ରେସ । ତୁରନ୍ତ ବିଧାନସଭାରେ ବହୁମତ ପରୀକ୍ଷା ଦାବି କରି ଏହି ତିନ ଦଳ ଆବେଦନ କରିଛନ୍ତି ।