କନକ ବ୍ୟୁରୋ: ପ୍ରବାସୀ ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି । ପ୍ରବାସୀଙ୍କ ଓଡ଼ିଶା ପ୍ରବେଶକୁ ନେଇ ଓଡ଼ିଶା ହାଇକୋର୍ଟ ଜାରି କରିଥିବା କଟକଣା ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଗତକାଲି ଓଡ଼ିଶା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ପରୀକ୍ଷା ହେବ । ଯଦି ରିପୋର୍ଟ ନେଗେଟିଭ୍ ରୁହେ ତେବେ ସେମାନଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି ଦିଆଯିବ । ମାତ୍ର ଆଜି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ.କେ.କାଉଲ୍ ଏବଂ ଜଷ୍ଟିସ୍ ବି ଆର ଗବାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ।
ଖଣ୍ଡପୀଠ ତାଙ୍କର ଣୁଣାଣିରେ କହିଛନ୍ତି, ଓଡ଼ିଶା ହାଇକୋର୍ଟଙ୍କ ଯେଉଁ ନିର୍ଦ୍ଦେଶ ଲୋକଙ୍କୁ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବେଶ କରିବା ଉପରେ ନିଷେଧ କରିଛି ତାହାକୁ ଆମେ ସ୍ଥଗିତ ରଖୁଛୁ । ଏହି ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଯେ ରାଜ୍ୟମାନେ ଯଦି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଚାହୁ ନାହାନ୍ତି ତେବେ ସେମାନେ ଏଥି ଲାଗି ବ୍ୟବସ୍ଥା କରିବା ଦରକାର । ମାତ୍ର ଲୋକଙ୍କର ରାଜ୍ୟ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇ ପାରିବ ନାହିଁ ।