କନକ ବ୍ୟୁରୋ :କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ୩ଟି କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପରବର୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ କଲେ କୋର୍ଟ । କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ୪ ଜଣିଆ କମିଟିରେ ସାମିଲ ଅଛନ୍ତି । ୪ ସଦସ୍ୟ କୃଷି ଆଇନ ଉପରେ ରିପୋର୍ଟ ଦେବେ । କମିଟିରେ ଜିତେନ୍ଦ୍ର ସିଂ ମାନ୍, ପ୍ରମୋଦ ଯୋଶୀ, ଅନୀଲ ଧନୱନ୍ତ ସାମିଲ ଅଛନ୍ତି ।  ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Advertisment

କୃଷକମାନଙ୍କ ଓକିଲ ଏମଏଲ ଶର୍ମା କହିଥିଲେ ଯେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଚାହୁଁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆସୁନାହାନ୍ତି । ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ ଏଥିପାଇଁ କୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡ଼େ କହିଛନ୍ତି ଯେ ଏହି କମିଟି ପ୍ରକୃତ ସମସ୍ୟା କେଉଁଠି ରହୁଛି ତାହା ବାହାର କରିବ । କୃଷକମାନେ କମିଟି ନିକଟକୁ ଯିବାକୁ ଚାହୁଁ ନାହାନ୍ତି ବୋଲି କରାଯାଉଥିବା ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଅଚଳାବସ୍ଥାକୁ ଦୂର ପାଇଁ ଆଇନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇପାରେ, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ଅଟକାଇ ହେବ ନାହିଁ । ପୁଣି ବିନା କୌଣସି କାରଣ ଥାଇ ସ୍ଥଗିତାଦେଶ ଦେଇହେବ ନାହିଁ । ଏଣୁ ଯେଉଁମାନଙ୍କର ଆଇନକୁ ନେଇ ଆପତ୍ତି ଅଛି, ସେମାନେ କମିଟି ନିକଟକୁ ଯାଆନ୍ତୁ  ।