ସାହାରା ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ‘ସାହାରା’ । ହାଇକୋର୍ଟ ନିଷ୍ପତ୍ତି ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ । ପଢନ୍ତୁ ପୂରା ଖବର … 

551

କନକ ବ୍ୟୁରୋ: ସାହାରା ମୁଖ୍ୟ ସୁବ୍ରତ ରାୟ ସାହାରାଙ୍କୁ ସୁପ୍ରିମକୋର୍ଟଙ୍କ ‘ସାହାରା’ ମିଳିଛି ।  ହାଇକୋର୍ଟର ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ । ପାଟନା ହାଇକୋର୍ଟ ତାଙ୍କୁ ଗୋଟିଏ ମାମଲାରେ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲେ । ତେବେ ବର୍ତ୍ତମାନ ପାଇଁ ଏହା ଟଳିଛି । କୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି । ଲୋକେ ସୁବ୍ରତଙ୍କୁ ସାହାରାଶ୍ରୀ ଭାବେ ଜାଣିଛନ୍ତି ।

ପାଟନା ହାଇକୋର୍ଟ ଶୁକ୍ରବାର ସୁବ୍ରତଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁବ୍ରତ କୋର୍ଟଙ୍କ ଆଦେଶ ପରେ ମଧ୍ୟ ହାଜର ହୋଇନଥିଲେ । ଏଥିରେ ନାରାଜ ହୋଇଥିବା କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । ହାଇକୋର୍ଟ ଆଦେଶରେ ମେ ୧୬ ଭିତରେ ତାଙ୍କୁ ଗିରଫ କରି ହାଜର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ସାହାର ଇଣ୍ଡିଆ ବିରୋଧରେ ପାଟନା ହାଇକୋର୍ଟରେ ମାମଲା ଚାଲିଛି । ଲୋକଙ୍କ ଠାରୁ ଟଙ୍କା ନେବା ପରେ କମ୍ପାନୀ ତାକୁ ଫେରାଉନଥିବାରୁ  କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି । ଲୋକେ କମ୍ପାନୀର ଅନେକ ସ୍କିମରେ ପଇସା ଲଗାଇଥିଲେ । ତେବେ ଶୁକ୍ରବାର ୧୦ଟା ୩୦ ସୁଦ୍ଧା ସୁବ୍ରତ ରାୟଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଥିଲେ ବି ସେ ହାଜର ହୋଇନଥିଲେ ।