କନକ ବ୍ୟୁରୋ: ମେଧା ଠାରୁ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ । ଅଧିକ ନମ୍ବର ଯୋଗ୍ୟତାର ଏକମାତ୍ର ମାନଦଣ୍ଡ ନୁହେଁ ବୋଲି ଦର୍ଶାଇ ଜାନୁଆରି ୭ ତାରିଖରେ ଶୁଣାଇଥିବା ଆଦେଶକୁ କାଏମ୍ ରଖିବା ସହ ୨୦୨୧-୨୨ ବର୍ଷ ପାଇଁ ‘ନିଟ୍’ ଅଣ୍ଡର୍ଗ୍ରାଜୁଏଟ୍ ଏବଂ ପୋଷ୍ଟ୍ଗ୍ରାଜୁଏଟ୍ ନାମଲେଖାରେ ‘ଅନ୍ୟାନ୍ୟ ପଛୁଆ ବର୍ଗ’ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାନୁଆରି ୭ରେ ସୁପ୍ରିମ୍ କୋର୍ଟ ଜାରି କରିଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶରେ ୨୦୨୧-୨୨ ‘ନିଟ୍-ପିଜି’ ନାମଲେଖା ପାଇଁ ୨୭% ‘ଓବିସି’ ଏବଂ ୧୦% ‘ଇଡବ୍ଲୁଏସ୍’ କ୍ବୋଟାର ବୈଧ୍ୟତାକୁ କାଏମ୍ ରଖିଥିଲେ। ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍. ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ସାମାଜିକ ଏବଂ ଆର୍ଥିକ ପୃଷ୍ଠଭୂମିକୁ ଚାହିଁ ମେଧା ବା ଯୋଗ୍ୟତାର ପ୍ରାସଙ୍ଗିକତା ନିରୂପଣ କରାଯିବା ଉଚିତ। ଅନୁନ୍ନତତାର ପ୍ରତିକାର କରିବାକୁ ଯାଇ ସଂରକ୍ଷଣର ଭୂମିକାକୁ ଉଚ୍ଛେଦ କରାଯାଇ ପାରିବନାହିଁ। ସଂରକ୍ଷଣ ମେଧା ପାଇଁ ଅନ୍ତରାୟ ନୁହେଁ, ବରଂ ସାମାଜିକ ନ୍ୟାୟର ପରିଣାମକୁ ଅଧିକ ପ୍ରସାରଣ କରୁଛି।
ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ‘ନିଟ୍-ପିଜି’ରେ ନାମ ଲେଖାଇବା ପାଇଁ ‘ଇକୋନୋମିକାଲ୍ ୱିକର୍ ସେକ୍ସନ୍ସ୍’ ମାନଦଣ୍ଡ ଉପରେ ରହିତାଦେଶ ଜାରି ହେବନାହିଁ। ଚଳିତ ବର୍ଷ ପାଇଁ ମଧ୍ୟ ବଳବତ୍ତର ଥିବା ମାନଦଣ୍ଡ (ବାର୍ଷିକ ଆୟ ୮ ଲକ୍ଷ ଟଙ୍କା) ଲାଗୁ ହେବ। ଏଭଳି ପରିସ୍ଥିତିରେ ନ୍ୟାୟିକ ହସ୍ତକ୍ଷେପ ଚଳିତ ବର୍ଷର ନାମଲେଖାରେ ବିଳମ୍ବ ଘଟାଇବ। ତେଣୁ, ୨୦୨୧-୨୨ ବ୍ୟାଚ୍ ପାଇଁ ସଂରକ୍ଷଣ ମାନଦଣ୍ଡ ଉପରେ ରହିତାଦେଶ ଜାରି ହେବ ନାହିଁ। ଏବେ ମଧ୍ୟ ଆମେ ମହାମାରୀ ବାତାବରଣରେ ଅଛନ୍ତି। ଡାକ୍ତର ନିଯୁକ୍ତିରେ ବିଳମ୍ବ ମହାମାରୀ ମୁକାବିଲା ଉପରେ ପ୍ରଭାବ ପକାଇବ।
ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ସଂରକ୍ଷଣ ନିମନ୍ତେ ଥିବା ନୀତିନିୟମ ସମ୍ପର୍କରେ ଦୁଇ ପକ୍ଷଙ୍କ କଥା ନ ଶୁଣି ଏବଂ ଦରିଦ୍ର ଏବଂ ସବୁଠୁ ଦରିଦ୍ର ଚିହ୍ନଟ ବିନା ଯୋଗ୍ୟତା ନୀତି ଉପରେ ରାୟ ଦେବା ସମ୍ଭବ ନୁହେଁ।ସମାନତା ସମ୍ବନ୍ଧରେ ଥିବା ଧାରା ୧୫ (୪) ଏବଂ ଧାରା ୧୫(୫) ଦୃଷ୍ଟାନ୍ତ ଦେଇ ସୁପ୍ରିମ୍ କୋର୍ଟ କହିଲେ, ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟକ୍ତିବିଶେଷଙ୍କ ପାରଦର୍ଶୀତା ଏବଂ ସାମର୍ଥ୍ୟ ପ୍ରତିପାଦନ କରେ ନାହିଁ। ଏହା କେତେକ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ କ୍ଷମତାର ପ୍ରତିଫଳନ କରେନାହିଁ। ମାର୍ଚ ତୃତୀୟ ସପ୍ତାହରେ ସୁପ୍ରିମ୍ କୋର୍ଟ ‘ଇଡବ୍ଲୁଏସ୍’ ସଂରକ୍ଷଣର ବୈଧତା ଏବଂ ଯୋଗ୍ୟତା ସ୍ଥିତି ସଂକ୍ରାନ୍ତ ମାମଲାର ଶୁଣାଣି କରିବେ।