କନକ ବ୍ୟୁରୋ : ବଲିଉଡ୍ ତଥା ଟିଭି ଜଗତର ଜଣାଶୁଣା ନିର୍ମାତା ଏକତା କପୁର ବଡ଼ ବିବାଦରେ ଫସିଯାଇଛନ୍ତି । ଏକତା କପୁରଙ୍କ ୱେବ ସିରିଜ୍ ‘ଟ୍ରିପଲ୍ ଏକ୍ସ’ରେ ଆପତିଜନକ ଦୃଶ୍ୟକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏକତା ଦେଶର ଯୁବପିଢ଼ିଙ୍କ ମସ୍ତିଷ୍କକୁ ପ୍ରଦୁଷିତ କରୁଛନ୍ତି । ଓଟିଟି ପ୍ଲାଟଫର୍ମ ଅଲ୍ଟ ବାଲାଜୀର ୱେବ ସିରିଜ୍ ‘ଟ୍ରିପଲ୍ ଏକ୍ସ’ରେ ସେନା ଓ ସେମାନଙ୍କ ପରିବାରର ଭାବାବେଗକୁ ଆଘାତ ଦେଇଥିବା ନେଇ ବେଗୁସରାଇର ଜଣେ ପୂର୍ବତନ ସେନା ସ୍ଥାନୀୟ କୋର୍ଟରେ ଅଭିଯୋଗ କରିଥିଲେ ।

Advertisment

ଯାହା ପରେ କୋର୍ଟ ଏକତାଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲେ । ବେଗୁସରାଇ କୋର୍ଟଙ୍କ ୱାରେଣ୍ଟ ବିରୋଧରେ ଏକତା କପୁର ପ୍ରଥମେ ପଟନା କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଶୁଣାଣିରେ ବିଳମ୍ବ କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ଅଦାଲତ ଏକତାଙ୍କ ଆବେଦନ ଉପରେ କୌଣସି ଆଦେଶ ଦେବା ପରିବର୍ତ୍ତେ ମାମଲାକୁ ସ୍ଥଗିତ ରଖିଛନ୍ତି । ହାଇକୋର୍ଟରେ ଶୁଣାଣିର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ଓକିଲଙ୍କ ସହାୟତା ନେବାକୁ ସୁପ୍ରିମକୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ଅଜୟ ରୋହତଗୀ ଏବଂ ସିଟି ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ କହିଛନ୍ତି, କିଛି ଗୋଟେ କରିବାକୁ ପଡ଼ିବ ।

ତୁମେ ଭାରତୀୟ ଯୁବପିଢିଙ୍କୁ ମୁଣ୍ଡ ବିଗାଡୁଛ । ଓଟିଟି କଣ୍ଟେଣ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ । ତୁମେ ଲୋକଙ୍କୁ କିପରି ଜିନିଷ ଦେଖିବାକୁ ଦେଉଛ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲା । ସେପଟେ ଏକତାଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମୁକୁଲ ରୋହତଗୀ କହିଥିଲେ, ଏକତାଙ୍କ ୱେବ ସିରିଜର କଣ୍ଟେଣ୍ଟ କିଏ କ’ଣ ଦେଖିବେ, ତାହା ସମ୍ପୃକ୍ତ ଦର୍ଶକଙ୍କ ସ୍ୱାଧୀନତା । ପାଟନାର ଜଣେ ଓକିଲଙ୍କ ଜରିଆରେ ହାଇକୋର୍ଟରେ ବିଚାରଧୀନ ମାମଲାର ସ୍ଥିତି ସମ୍ପର୍କରେ ଜାଣିବାକୁ ଏକତାଙ୍କ ଉଦ୍ଦେଶ୍ୟରେ ଖଣ୍ଡପୀଠ ରୋହତଗୀଙ୍କୁ ପରାମର୍ଶ ଦେଇଛନ୍ତି ।