ଦିନକ ପରେ ଦୀପାବଳି : ବାଣ ନେଇ ଦ୍ୱନ୍ଦ୍ୱରେ ପୁଲିସ ଓ ଜନତା; ସବୁଜ ବାଣ ନାଁରେ ସାଧାରଣ ବାଣ ବିକ୍ରି କରିବେ ନାହିଁ ତ ବ୍ୟବସାୟୀ, କେମିତି ଜଗିବ ପୁଲିସ

କେବଳ ପ୍ରଦୂଷଣ କରୁନଥିବା ବାଣ ଫୁଟାଇବାକୁ କୋର୍ଟଙ୍କ ଅନୁମତି

477

କନକ ବ୍ୟୁରୋ : ଦିନକ ପରେ ଦୀପାବଳି । ବାଣ ଫୁଟାଇବାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାକୁ ଦୂର କରିଛନ୍ତି ହାଇକୋର୍ଟ । ଏହା ପରେ ଦୀପାବଳି, ଛଟପୂଜା ଓ କାର୍ତିକପୂର୍ଣ୍ଣିମା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି । ଏହି ସମୟରେ କେବଳ ସୁବଜ ବାଣ ଫୁଟାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍ୟ କୌଣସି ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାଙ୍କ ଗାଇଡଲାଇନ୍ ପୁଣି ଏକ ଦ୍ୱନ୍ଦ୍ୱ ତିଆରି କରିଛି । କାରଣ ସବୁଜ ବାଣ କ’ଣ ଲୋକେ ଜାଣି ନାହାନ୍ତି । କେଉଁଠାରେ ଏ ପ୍ରକାର ବାଣ ମିଳିବ ତାହା ମଧ୍ୟ ଜଣା ନାହିଁ । ଅନୁମାନ କରାଯାଉଛି ପୁଲିସ ମଧ୍ୟ ଏହାକୁ ନେଇ ଦ୍ୱନ୍ଦ୍ୱରେ ରହିଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସବୁଜ ବାଣ ଆଳରେ ଲୋକେ ଯଦି ସାଧାରଣ ବାଣ ଆଣି ଫୁଟାଇଲେ, ତେବେ ପୁଲିସ ସେମାନଙ୍କୁ ଧରିବ କିପରି । ରାଜଧାନୀ ଭୁବନେଶ୍ୱରରେ ପ୍ରତି ବର୍ଷ କୋଟି କୋଟି ଟଙ୍କାର ବାଣ ଫୁଟାଯାଏ । ସବୁଠାରୁ ବଡ଼ ବଡ଼ ବାଣ ବଜାର ବସେ ।

ଗତ ବର୍ଷ କରୋନା କଟକଣା ଯୋଗୁଁ ବାଣ ଫୁଟା ସଂପୂର୍ଣ୍ଣ ନିଷେଧ କରାଯାଇଥିଲା । ଏଥର କଟକଣା କୋହଳ ହୋଇଥିବାରୁ ଲୋକଙ୍କ ଭିତରେ ଅଧିକ ଉତ୍ସାହ ରହିଛି । ସେପଟେ ଲୋକେ ସବୁଜ ବାଣ କ’ଣ ଜାଣି ନଥିବାରୁ ବ୍ୟବସାୟୀ ମଧ୍ୟ ସାଧାରଣ ବାଣକୁ ସବୁଜ ବାଣ କହି ବିକ୍ରି କରିବାର ଅନେକ ସମ୍ଭାବନା ରହିଛି । ତେଣୁ ଆଶଙ୍କା କରାଯାଉଛି ସବୁଜ ବାଣ ପାଇଁ ସରକାରଙ୍କ ଗାଇଡଲାଇନ୍ ଚୋରା ବ୍ୟବସାୟୀଙ୍କ ପାଇଁ ବାଟ ଫିଟାଇବ ।

ଦୀପାବଳିରେ ଫୁଟିବ ସବୁଜ ବାଣ । କେବଳ ପ୍ରଦୂଷଣ କରୁନଥିବା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ତେବେ ଏହି ସବୁଜ ବାଣ କ’ଣ ?

– ଏହି ବାଣ ସାଧାରଣ ବାଣ ପରି କ୍ଷତିକାରକ ନୁହେଁ
– ସବୁଜ ବାଣରେ ପ୍ରଦୂଷଣ ଉପାଦାନ ବହୁତ କମ୍ ମିଶିଥାଏ
– ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ
– ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ
– ଜଳୀୟବାଷ୍ପ ଧୂଳିକଣାକୁ ଗ୍ରହଣ କରି ତଳକୁ ନେଇଆସେ
– ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍ ଶବ୍ଦ ହୋଇଥାଏ
– ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ
– କ୍ଷତିକାରକ ପାର୍ଟିକୁଲେଟ୍ ମେଟର, ନାଇଟ୍ରିକ୍ ଅକ୍ସାଇଡ୍ ଓ ସଲଫର ଅକ୍ସାଇଡ୍ ୩୦-୩୫ ପ୍ରତିଶତ କମ୍ ଥାଏ
– ଆର୍ସେନିକ୍, ଲିଥିୟମ୍, ବେରିୟମ୍ ଭଳି କ୍ଷତିକାରକ ଜିନିଷର ମିଶ୍ରଣ ହୋଇନଥାଏ