କନକ ବ୍ୟୁରୋ: ମାନସୀ ମହାରଣା । କମ୍ପ୍ୟୁଟର ସାଇନ୍ସରେ ପାଠ ପଢ଼ୁଛନ୍ତି । ପାଠ ସିନା କମ୍ପ୍ୟୁଟର ସାଇନ୍ସରେ ପଢ଼ୁଛନ୍ତି, କିନ୍ତୁ ତାଙ୍କର ଇଚ୍ଛା ଥିଲା ସଙ୍ଗୀତ ଶିଖିବେ । ସଂଗୀତ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବେ । ହେଲେ ପରିବାର ଲୋକଙ୍କ ଚାପରେ, ଏବେ ସଂଗୀତକୁ ଛାଡ଼ି କମ୍ପ୍ୟୁଟର ଶିକ୍ଷାକୁ ବାଛି ନେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି କାହାଣୀ କେବଳ ମାନସୀଙ୍କୁ ନୁହେଁ, ଉଣା ଅଧିକେ ଅନେକ ଛାତ୍ରଛାତ୍ରୀଙ୍କର । ପରିବାରର ଚାପରେ ନିଜ ଆଗ୍ରହରେ ନୁହେଁ ବରଂ ପରିବାର ଲୋକଙ୍କ ଇଚ୍ଛାରେ ଆଉ ଚାପରେ ପାଠ ବାଛିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ଆଉ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଚାପ ଆତ୍ମହତ୍ୟାର ଏକ କାରଣ । ଏକଥା କହିଛନ୍ତି ଦେଶର ସୁପ୍ରିମକୋର୍ଟ ।
ଦେଶରେ ବଢୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପିତାମାତାଙ୍କ ଚାପ ଅନ୍ୟତମ କାରଣ । ଏକ ମାମଲାର ଶୁଣାଣି ସମୟରେ ଏଭଳି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ଛତୁ ଫୁଟିଲା ଭଳି ଗଢିଉଠିଥିବା ମେଡିକାଲ, ଇଂଜନିୟରିଂ ପ୍ରବେଶିକା ପାଇଁ କୋଚିଂ ସେଂଟର ଉପରେ ନିୟନ୍ତ୍ରଣ ପାଇଁ ହୋଇଥିବା ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟର ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ, କହିଛନ୍ତି ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ଉପରେ ବାପାମାଆ ପ୍ରବଳ ଚାପ ପକାଉଛନ୍ତି । ପିତା ମାତାଙ୍କ ଚାପରେ ପିଲା ନିଜ ରୁଚି ବିରୋଧରେ ପାଠ ପଢୁଛନ୍ତି । ତେଣୁ ଏଭଳି ସମସ୍ୟା ଦେଖାଦେଉଛି । ଏଥିସହ କୋଚିଂ ସେଂଟରଗୁଡିକୁ ନିୟନ୍ତ୍ରଣ ପାଇଁ କୌଣସି ନିର୍ଦ୍ଦେଶ ଦେଇହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।