କରୋନା ରୋଗୀଙ୍କ ଘର ଆଗରେ ଲାଗିପାରିବନି କୋଭିଡ୍ ପୋଷ୍ଟର । ସାମାଜିକ କଳଙ୍କର କାରଣ ସାଜୁଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

164

କନକ ବ୍ୟୁରୋ: ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ୍‌-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍‌ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି (ବୁଧବାର) ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ କୋଭିଡ୍‌-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଫଳରେ ତାହା ସେମାନଙ୍କ ପାଇଁ ଏକ ସାମାଜିକ କଳଙ୍କର କାରଣ ହେଉଛି। ଏଥିସହ ଏପରି କରିବା ଦ୍ୱାରା ରୋଗୀର ଗୋପନୀୟତା ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହେଉଛି।

ଶୁଣାଣି କାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ରେ ଏପରି କୌଣସି ପ୍ରସ୍ତାବ ଦିଆଯାଇ ନଥିଲା; ତେବେ ନିଜ ନିଜ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜେ ଏହାକୁ କାର୍ୟ୍ୟକାରୀ କରିଥାଇ ପାରନ୍ତି ବୋଲି ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ। ଏହା ଶୁଣିବା ପରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ୍‌-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।