ନା ମାନେ ନା! ‘ବିନା ସହମତିରେ ସ୍ୱାମୀ ଛୁଇଁବା ବି ଅପରାଧ’ । ବୈବାହିକ ସମ୍ପର୍କକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ବୟାନ

3,411

କନକ ବ୍ୟୁରୋ: ‘ବୈବାହିକ ଦୁଷ୍କର୍ମ’ ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ବୟାନ । ମହିଳାଙ୍କ ସମ୍ମାନ ପକ୍ଷରେ ଗୁରୁବାର ସୁପ୍ରିମ କୋର୍ଟ ମ୍ୟାରିଟାଲ ରେପ୍ ଉପରେ ବିଚାର କରିବା କ୍ରମରେ ଏପରି ବୟାନ ଦେଇଛନ୍ତି । କୋର୍ଟଙ୍କ କହିବା ଅନୁସାରେ ମହିଳାଙ୍କୁ ତାଙ୍କ ବିନା ଅନୁମତିରେ କେହି ବି ଛୁଇଁ ପାରିବେନି । ଏପରିକି ବିନା ସହମତିରେ ସ୍ୱାମୀ ଛୁଇଁବା ବି ଅପରାଧ । ଯଦି ଏପରି ହୁଏ ତେବେ ତାହାକୁ ବୈବାହିକ ଦୁଷ୍କର୍ମ ଅନ୍ତର୍ଭୁକ୍ତ କରାଯିବ । ମ୍ୟାରିଟାଲ ରେପକୁ ଦୁଷ୍କର୍ମ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯିବା ଉଚିତ । ଜଷ୍ଟିସ୍ ଡିବିଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ବିଚାର କରୁଥିବା ଖଣ୍ଡପୀଠ ଗର୍ଭପାତ ସମ୍ପର୍କିତ ଏକ ମାମଲାର ବିଚାର କରିବାକୁ ଯାଇ ଏପରି ବୟାନ ଦେଇଛନ୍ତି ।
ସୁପ୍ରିମ କୋର୍ଟ ଗର୍ଭପାତ ପାଇଁ ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗ୍ନେସି (ଏମଟିପି) ଆଇନ -୨୦୨୧କୁ ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି ଯେ, ‘ମହିଳାଙ୍କ ବିନା ସହମତିରେ ସ୍ୱାମୀ ଛୁଇଁବା ବି ଅପରାଧ’ । ସ୍ୱାମୀଙ୍କ ଦ୍ୱାରା ଜୋର ଜବରଦସ୍ତି ଯୌନ ସଂପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ । ଅନୁମତି ନଥାଇ ଜୋରଜବରଦସ୍ତି ଶରୀରିକ ସମ୍ପର୍କ ରଖିବା ଦ୍ୱାରା ଯଦି ମହିଳା ଗର୍ଭବତୀ ହୁଅନ୍ତି ତେବେ ମହିଳା ଏହି ଗର୍ଭପାତ କରିପାରିବେ । କୋର୍ଟ ସଫା ସଫା କହିଛନ୍ତି ଯେ, ‘ବୈବାହିକ ରେପ୍’ ମଧ୍ୟ ଅନ୍ୟ ରେପ୍ ସହ ସମାନ ହେବା ଉଚିତ । ସ୍ତ୍ରୀ ଉପରେ ସ୍ୱାମୀର ଯୌନ ଶୋଷଣ ଦୁଷ୍କର୍ମର ରୂପ ନେଇପାରେ । ଦୁଷ୍କର୍ମର ସଂଜ୍ଞା ଅନୁସାରେ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଆଇନ ରେ ବୈବାହିକ ଦୁଷ୍କର୍ମକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ । ତେଣୁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ଯେ, କୌଣସି ମହିଳାଙ୍କ ବୈବାହିକ ସ୍ଥିତି ତାଙ୍କୁ ଅବାଂଛିତ ଗର୍ଭକୁ ନଷ୍ଟକରିବାରୁ ରୋକି ପାରିବ ନାହିଁ ।

ନିକଟରେ ବୈବାହିକ ବଳାତ୍କାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହାକୁ ବିଚାର କରୁଥିବା ଦୁଇ ବିଚାରପତିଙ୍କର ମତ କିନ୍ତୁ ଭିନ୍ନ ଥିଲା । ଫଳରେ ଏହି ବିଚାର ସମ୍ପୂର୍ଣ୍ଣ ହୋଇନପାରି ସୁପ୍ରିମକୋର୍ଟକୁ ପାସ୍ କରାଯାଇଥିଲା । ଏହା ପରେ, ଏହି ମାମଲାକୁ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଥିଲା । ୨୦୧୭ ରେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି କହିଥିଲେ ଯେ ଏହାକୁ ଅପରାଧ ଘୋଷଣା କରାଯାଇପାରିବ ନାହିଁ। ଏପରି କଲେ ବିବାହ ପରି ଏକ ପବିତ୍ର ଅନୁଷ୍ଠାନ ବିପର୍ଯ୍ୟସ୍ତ ହୋଇପାରେ । ତେଣୁ ମହିଳା କମିଶନ ସହ ବିଭିନ୍ନ ରାଜ୍ୟର କୋର୍ଟଙ୍କ ମତାମତ ମିଳିବା ଯାଏଁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ହେଲେ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ବିଳମ୍ବ ହେବାରୁ ଏହି ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ । ଯଦି କୌଣସି ଅବିବାହିତ ମହିଳାଙ୍କ ଉପରେ ଜୋରଜବରଦସ୍ତିକୁ ଦୁଷ୍କର୍ମ କୁହାଯାଏ ତେବେ ବିବାହିତ ମହିଳାଙ୍କ ଉପରେ ବଳ ପ୍ରୟୋଗ ମଧ୍ୟ ଦୁଷ୍କର୍ମ ଅନ୍ତର୍ଗତ ହେବା ଉଚିତ ଏବଂ ଏଥିରେ ଅଭିଯୁକ୍ତ ସ୍ୱାମୀକୁ ଅନ୍ୟ ଦୁଷ୍କର୍ମ ଅଭିଯୁକ୍ତ ପରି ଦଣ୍ଡ ମିଳିବା ଉଚିତ ବୋଲି ସୁପିମ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ।

ଆଇପିସିର ଧାରା- ୩୭୫ ଦୁଷ୍କର୍ମକୁ ବ୍ୟାଖ୍ୟା କରେ କିନ୍ତୁ ଏଥିରେ ଏକ ବ୍ୟତିକ୍ରମ ରହିଛି । ଏହି କାରଣରୁ ବିବାହ ପରେ ସ୍ୱାମୀଙ୍କ ଦ୍ୱାରା ଦୁଷ୍କର୍ମକୁ ‘ବୈବାହିକ ଦୁଷ୍କର୍ମ ‘ ବୋଲି ବିବେଚନା କରାଯାଏ ନାହିଁ । ସ୍ତ୍ରୀ ସାବଳିକା ହୁଅନ୍ତି କି ନାବାଳିକା ଯେହେତୁ ସ୍ତ୍ରୀ ତେଣୁ ତାଙ୍କ ସହ ବଳପୂର୍ବକ ସମ୍ପର୍କ ଅପରାଧ ନୁହେଁ ବୋଲି ଧାରା ୩୭୫ରେ ଉଲ୍ଲେଖ ଅଛି । ଅନ୍ୟପଟେ ଧାରା ୩୭୬ ଅଧୀନରେ କିଛି ସର୍ତ୍ତରେ ସ୍ୱାମୀଙ୍କୁ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ମାମଲାରେ ଦଣ୍ଡ ଦେବା ପାଇଁ ଆଇନ ରହିଛି।

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ୮୨ ପ୍ରତିଶତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ମାମଲାକୁ ନେଇ ଏଯାଏଁ କୌଣସି ସ୍ଥାୟୀ ସମାଧାନ ମିଳୁନଥିବାବେଳେ ଏବେ ସୁପ୍ରିମକୋର୍ଟଙ୍କ ଏହି ବଡ ବୟାନ ମହିଳାଙ୍କୁ ସୁରକ୍ଷା ଦେବାକୁ ନୂଆ ବାଟ ଦେଖାଇଛି ।