‘ୱାନ ନେସନ, ୱାନ ରାସନ କାର୍ଡ’ : ଜୁଲାଇ ୩୧ ସୁଦ୍ଧା ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

384

କନକ ବ୍ୟୁରୋ : ୱାନ ନେସନ, ୱାନ ରାସନ କାର୍ଡ’ । ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ସାରା ଦେଶରେ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ।  ମହାମାରୀ ଶେଷହେବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ନିମନ୍ତେ ରାଜ୍ୟଗୁଡ଼ିକ ‌ଗୋଷ୍ଠୀ ବା ସାମୂହିକ ରୋଷେଇ ସୁବିଧା ଚଳାଇବା ଦରକାର। ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାର ଜୁଲାଇ ୩୧ ସୁଦ୍ଧା ଏକ ପୋର୍ଟାଲ ଆରମ୍ଭ କରିବା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‘ଗୋଟିଏ ଦେଶ, ‌ଗୋଟିଏ ରାସନ’ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରତି‌ ଯୋଗ୍ୟ ରାସନକାର୍ଡଧାରୀ ବା ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସାମିଲ ହେବା ସହିତ ଦେଶର ଯେକୌଣସି ସ୍ଥାନରୁ ସେମାନଙ୍କର ଖାଦ୍ୟଶସ୍ୟ ସଂଗ୍ରହ କରିପାରିବେ।

ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏମ ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅସଙ୍ଗଠିତ ଏବଂ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ଏହି ପୋର୍ଟାଲ ସୃଷ୍ଟି କରାଯିବା ଆବଶ୍ୟକ । ଏହି ପ୍ରକ୍ରିୟା ଜୁଲାଇ ୩୧ ତାରିଖ ସୁଦ୍ଧା ଶେଷ ହେବା ଉଚିତ। ପୋର୍ଟାଲ ସୃଷ୍ଟି କରି ଅସଙ୍ଗଠିତ ଏବଂ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ଉପସ୍ଥାପନରେ ବିଳମ୍ବ ହେଉଥିବାରୁ ଖଣ୍ଡପୀଠ ‌କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଉପରେ ଭୀଷଣ ବିରକ୍ତ ହୋଇଛନ୍ତି। ମନ୍ତ୍ରାଳୟର ଏଭଳି ଅଳସୁଆ ଆଚରଣ ଅକ୍ଷମଣୀୟ ବୋଲି ଖଣ୍ଡପୀଠ କହିଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପ୍ରତି ମନ୍ତ୍ରାଳୟ ସଚେତନ ନାହିଁ ଏବଂ ମନ୍ତ୍ରାଳୟର ଏଭଳି କାର୍ଯ୍ୟକୁ ଖଣ୍ଡପୀଠ ନାପସନ୍ଦ କରିଛନ୍ତି। ସୁପ୍ରିମ କୋର୍ଟ ନିଜଆଡ଼ୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଏହା କହିଛନ୍ତି । ଏଥିସହିତ ରାଜ୍ୟଗୁଡ଼ିକ ମଧ୍ୟ ପ୍ରବାସୀମାନଙ୍କୁ ଶୁଖିଲା ରାସନ୍ ବଣ୍ଟନ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ଖଣ୍ଡପୀଠ କହିଛନ୍ତି । ଯେଉଁସବୁ ରାଜ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିନାହାନ୍ତି ତାହାକୁ ସେମାନେ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ନିଶ୍ଚିତଭାବେ କାର୍ଯ୍ୟକାରୀ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତମାସ ୨୪ ତାରିଖରେ ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି ବେଳେ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ଅତି ମନ୍ଥର ଗତିରେ ଚାଲିଛି ବୋଲି ଟିପ୍ପଣୀ ଦେଇଥିଲେ । ଏଥିସହିତ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କୁ ଶୁଖିଲା ଖାଦ୍ୟଶସ୍ୟ ସହିତ ‌ଗୋଷ୍ଠୀ ରୋଷେଇ ବ୍ୟବସ୍ଥା ଆରମ୍ଭ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ କଠୋର ଲକ୍‌ଡାଉନ୍‌ ଲାଗୁ କରିଥିଲେ । ଏହାଦ୍ବାରା ଅନେକ ଶ୍ରମିକଙ୍କ ଚାକିରି ଚାଲିଯାଇଥିଲା। ଫଳରେ ରୋଜଗାର ଶୂନ୍ୟ ହୋଇ ସେମାନେ ବଞ୍ଚିବାର ସମସ୍ତ ପନ୍ଥା ହରାଇଥିଲେ । ବହୁ ପ୍ରବାସୀ ଶ୍ରମିକ ସହର ଛାଡ଼ି ଗାଁ ଅଭିମୁଖେ ପଳାଇଥିଲେ। ଏଥିରେ କେତେକ ଶ୍ରମିକଙ୍କ ଜୀବନ ବାଟରେ ମଧ୍ୟ ଚାଲିଯାଇଥିଲା। ରାସ୍ତାରେ ପରିବାର ସହ ଭୋକ ଉପାସରେ ଚାଲିଚାଲି ଦୀର୍ଘପଥ ଯିବାର ଅମାନବୀୟ ଦୃଶ୍ୟ ଦେଶର ବିବେକକୁ ଦୋହଲାଇ ଦେଇଥିଲା।