ସିବିଆଇ ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ । ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଦେଲେ ଗ୍ରୀନ୍ ସିଗନାଲ, ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀ କହିଲେ ସିବିଆଇ ତଦନ୍ତର କରିବେ ସାମ୍ନା ।

270

କନକ ବ୍ୟୁରୋ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ମାମଲାର ତଦନ୍ତକୁ ନେଇ ବିହାର ଓ ମୁମ୍ବାଇ ପୋଲିସ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ ସିବିଆଇ ତଦନ୍ତ ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ସିବିଆଇକୁ ତଦନ୍ତରେ ସହଯୋଗ କରିବା ପାଇଁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏବଂ ମୁମ୍ବାଇ ପୋଲିସ କରିଥିବା ତଦନ୍ତର ସମସ୍ତ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇ ପୋଲିସର ତଦନ୍ତକୁ ସନ୍ଦେହ କରି ବିହାର ପୋଲିସ ନିକଟରେ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ବାପା । ତାପରେ ବିହାର ପୋଲିସ ମାମଲା ରୁଜୁ କରି ତଦନ୍ତ କରିବାକୁ ମୁମ୍ବାଇ ଯାଇଥିଲେ । ହେଲେ ସେଠାରେ ବିହାର ପୋଲିସକୁ ସହଯୋଗ କରିନଥିଲା ମୁମ୍ବାଇ ପୋଲିସ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ରାଜ୍ୟର ସରକାର ଓ ପୋଲିସ । ଶେଷରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତୀଙ୍କୁ ଲାଗିଛି ସୁପ୍ରିମ୍ ଝଟକା । କାରଣ ରିୟାଙ୍କ ଆବେଦନକୁ ଖାରଜ କରିଦେଇ ମାମଲାର ସିବିଆଇ ତଦନ୍ତ କରିବ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ କହିଛନ୍ତି ମୁମ୍ବାଇ ପୋଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଯାଞ୍ଚ କରିନାହିଁ ବରଂ କେବଳ ପଚରାଉଚରା କରିଛି । ମାମଲାରେ ମୁମ୍ବାଇ ପୋଲିସ କେବଳ ଆକ୍ସିଡେଂଟାଲ ଡେଥ ରିପୋର୍ଟ- ଏଡିଆର କରିଥିବାରୁ ଏହାର ଯାଞ୍ଚର ପରିସର ସୀମିତ । କିନ୍ତୁ ବିହାର ପୋଲିସ ଏକ ପୂର୍ଣ୍ଣାଙ୍ଗ ଏଫଆଇଆର କରି ଏହାକୁ ସିବିଆଇକୁ ରେଫର କରିଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହିଁ ମାମଲାର ଯାଞ୍ଚ କରିବ ।

ମାମଲାର ଶୁଣାଣି ବେଳେ କ’ଣ କହିଲେ ସୁପ୍ରିମକୋର୍ଟ?
– ସୁଶାନ୍ତଙ୍କ ବାପା ବିହାର ପଟନା ଥାନାରେ କରିଥିବା ଏଫଆଇଆର ଠିକ୍
– ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିବା ମଧ୍ୟ ଠିକ୍
– କେବଳ ପାଟନା କାହିଁକି ଦିଶେର ଯେକୌଣସି ସ୍ଥାନରେ ହୋଇଥିବା ଏଫଆଇଆରର ତଦନ୍ତ କରିବାକୁ ସିବିଆଇ ଅଧିକୃତ
– ତେଣୁ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ କରିଥିବା ତଦନ୍ତ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିବ
ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଭୂମିକାକୁ ସନ୍ଦେହ କରି ମୂଳରୁ ସିବିଆଇ ତଦନ୍ତ ଦାବି କରିଆସୁଥିଲେ ତାଙ୍କ ପରିବାର । ତେଣୁ ସୁପ୍ରିମକୋର୍ଟରେ ପ୍ରାରମ୍ଭିକ ବିଜୟ ହୋଇଥିବା କହିଛନ୍ତି ସୁଶାନ୍ତଙ୍କ ପରିବାର ସଦସ୍ୟ ।

୨୫ ଜୁଲାଇରେ ସୁଶାନ୍ତଙ୍କ ବାପା କେକେ ସିଂ ପାଟନା ପୋଲିସରେ ରିୟା ଚକ୍ରବର୍ତୀ ଓ ଅନ୍ୟମାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ଏଫଆଇଆର କରିବା ପରେ ଏହା ରାଜନୈତିକ ମୋଡ ନେଇଥିଲା । କାରଣ ମୁମ୍ବାଇରେ ବିହାର ପୋଲିସକୁ ଛାନଭିନର ସୁଯୋଗ ଦେଇନଥିଲେ ମୁମ୍ବାଇ ପୋଲିସ ଓ ବିଏମସି । ସେପଟେ ବିହାର ସରକାରଙ୍କ ସୁପାରିଶ ଆଧାରରେ ସିବିଆଇକୁ କେନ୍ଦ୍ର ସରକାର ମାମଲା ହସ୍ତାନ୍ତର କରିବା ଉପରେ ମଧ୍ୟ ଆପତ୍ତି ଉଠାଇଥିଲେ ମହାରାଷ୍ଟ୍ର ସରକାର ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏଫଆଇଆର କରିସାରିଛି । ମୁମ୍ବାଇ ପୋଲିସଠାରୁ
– ମାମଲାର କେସ ଡାଏରୀ
– ଅଭିଯୁକ୍ତଙ୍କ ରେକର୍ଡ ହୋଇଥିବା ବୟାନ
– ଫୋରେନସିକ ରିପୋର୍ଟ
– ପୋଷ୍ଟମର୍ଟମ ରିପୋର୍ଟ
ନିଜ କବଜାକୁ ନେଇ ତଦନ୍ତ ଆଗକୁ ବଢାଇବ । ସୁଶାନ୍ତଙ୍କ ବାପା ତାଙ୍କ ଅଭିଯୋଗରେ ରିୟା ଚକ୍ରବର୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବାରୁ ତାଙ୍କୁ ପଚରା ଉଚୁରା ପାଇଁ ଡକାଇପାରେ । ମୁମ୍ବାଇ ପୋଲିସ ଓ ଇଡିରେ ହାଜର ହେବା ପରି ସିବିଆଇରେ ହାଜର ହେବାକୁ ସମନ ମଧ୍ୟ କରାଯାଇପାରେ । ତେବେ ସବିଆଇ ତଦନ୍ତକୁ ରିୟା ବିରୋଧ କରୁଥିବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।