କନକ ବ୍ୟୁରୋ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ନୂପୁରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଉଦୟପୁର ହିଂସା ପାଇଁ ନୂପୁର ଶର୍ମା ହଁ ଦାୟୀ । ଯେଉଁଥିପାଇଁ ସାରା ଦେଶରେ ଏପରି ପରିସ୍ଥିତି ଉପିଜିଛି । ଟିଭି ଚ୍ୟାନେଲରେ ବିତର୍କ ବେଳେ ସେ ଯାହା କହିଛନ୍ତି ତାହା ହିଂସାକୁ ଉସକେଇଛି । ଏପରି କରିବା ନିନ୍ଦନୀୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ କହିଛନ୍ତି । ନୂପୁରଙ୍କ ମନ୍ତବ୍ୟ ତାଙ୍କ ଜିଦଖୋର ଓ ଅହଂକାରୀ ଚରିତ୍ରକୁ ଦର୍ଶାଉଛି ବୋଲି ଅଦାଲତ କହିଛନ୍ତି । ନୂପୁରଙ୍କ ବୟାନ ରାଜସ୍ଥାନ ଉଦୟପୁର ଘଟଣା ସହ ଜଡିତ ରହିଛି । ଯେଉଁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି ସେଥିପାଇଁ ସେ ଦାୟୀ । ତେଣୁ ନୂପୁର ଶର୍ମା ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ନୂପୁରଙ୍କ ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କ ଗିରଫ କରାଗଲା । କିନ୍ତୁ ନୂପୁରଙ୍କ ବିରୋଧରେ ଅଭିଯୋଗ ସତ୍ୱେ ଦିଲ୍ଲୀ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି କାର୍ଯ୍ୟାନୁଷ୍ଠାନ ନେଲାନି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
ନୂପୁର ନିଜ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ବିଳମ୍ବରେ କ୍ଷମା ମାଗିଥିଲେ ଓ ସର୍ତ ରଖି କହିଥିିଲେ ଯେ ଯଦି କାହାର ଭାବନାକୁ ଏହା ଆଘାତ ଦେଇଛି, ତାହେଲେ ମନ୍ତବ୍ୟ ପ୍ରତ୍ୟାହାର କରୁଛି । ଜଣେ ଓକିଲ ହେବା ସତ୍ୱେ ନୂପୁର କିପରି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଲେ, ତାକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
ଶୁଣାଣି ବେଳେ ନୂପୁରଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏ ନେଇ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ନୂପୁର ପୂରା ଦେଶର ନିରାପତା ପାଇଁ ବିପଦ ହୋଇଛନ୍ତି । କେବଳ ଲୋକପ୍ରିୟତା ହାସଲ କରିବା ପାଇଁ ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଲେ ନା ଏହା ତାଙ୍କର ରାଜନୈତିକ ଏଜେଣ୍ଡା ଥିଲା, ସେ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।