ପେଗାସସ ପ୍ରସଙ୍ଗ : ସତ୍ୟପାଠ ଦାଖଲ କରିବାକୁ ମନା କଲେ କେନ୍ଦ୍ର ସରକାର

77

କନକ ବ୍ୟୁରୋ : ପେଗାସସ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ମନା କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ସତ୍ୟପାଠ ଦାଖଲ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । କେନ୍ଦ୍ର ତାର ଆଭିମୁଖ୍ୟରେ କହିଛି, ଜାତୀୟ ସୁରକ୍ଷା ସଂକ୍ରାନ୍ତୀୟ ଗୁରୁତ୍ୱପୁର୍ଣ୍ଣ ତଥ୍ୟକୁ ସତ୍ୟପାଠ ଜରିଆରେ ଜଣାଯାଇପାରିବ ନାହିଁ । ଆତଙ୍କବାଦୀଙ୍କୁ କୁହାଯାଇପାରିବ ନାହିଁ, ଦେଶରେ କେଉଁ ସଫ୍ଟୱାୟାର ବ୍ୟବହାର କରାଯାଉଛି । ଯାହାକୁ ନେଇ ବେଶ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ।

ପ୍ରଧାନ ବିଚାପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, ଆମେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ଚିନ୍ତିତ ନୁହଁ । ଆମେ ସେଇ ଲୋକଙ୍କୁ ନେଇ ଚିନ୍ତିତ ଯେଉଁମାନଙ୍କର ଫୋନ ଟ୍ୟାପିଂ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଗତଥର ଏହି ପ୍ରସଙ୍ଗରେ ଶୁଣାଣି ବେଳେ ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ କହିଥିଲେ । ସେଥିପାଇଁ କେନ୍ଦ୍ରକୁ ସମୟ ଦିଆଯାଇଥିଲା । ହେଲେ ଏବେ ସତ୍ୟପାଠ ଦାଖଲ ନକରିବା ସମୟ ବରବାଦ ବୋଲି କୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । ଏହି ପ୍ରସଙ୍ଗରେ କୋର୍ଟ ଆଗାମୀ ୨-୩ ଦିନ ମଧ୍ୟରେ ଅନ୍ତରୀଣ ଆଦେଶ ଜାରି ହୋଇପାରେ ।

ସେହିଭଳି ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା କପିଲ ସିବଲ୍ କହିଥିଲେ, ଜାତୀୟ ସୁରକ୍ଷାକୁ କେହି ବିପଦରେ ପକାଇବାକୁ ଚାହୁଁନାହାନ୍ତି, ହେଲେ ଯଦି ପେଗାସସ ବ୍ୟବହାର କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇଛି, ତେବେ ଏହା ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ । ପୂର୍ବରୁ କିଛି ଗଣମାଧ୍ୟମ ସଂସ୍ଥା ରିପୋର୍ଟ ପ୍ରକାଶ କରି କହିଥିଲେ, କେନ୍ଦ୍ର ସରକାର ପେଗାସସ ସ୍ପାୟୱାୟାର ଜରିଆରେ ଲୋକଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି । ଯେଉଁଥିରେ ରାଜନେତା, ବିଚାରପତି, କେନ୍ଦ୍ରମନ୍ତ୍ରୀ, ବ୍ୟବସାୟୀଙ୍କ ଫୋନ ଉପରେ କେନ୍ଦ୍ର ସରକାରଙ୍କ ନଜର ଥିଲା ବୋଲି ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ଦାବି କରି କୋର୍ଟରେ ଅନେକ ଆବେଦନ ହୋଇଥିଲା ।