ଆସନ୍ତାକାଲି ଆସିବ ମହାରାଷ୍ଟ୍ର ମାମଲାର ବଡ ରାୟ । ଫଡନବୀଶଙ୍କୁ ମିଳିଲା ପୁଣି ୨୪ ଘଣ୍ଟାର ଆଶ୍ୱସ୍ତି, ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ଦେବେ କି ଅନୁମତି?

630

କନକ ବ୍ୟୁରୋ : ମଙ୍ଗଳବାର ଆସିବ ମହାରାଷ୍ଟ୍ର ରାୟ । ଆସନ୍ତାକାଲି ସକାଳ ୧୦.୩୦ରେ ମହାରାଷ୍ଟ୍ର ମାମଲାର ରାୟ ଆସିବ । ସବୁ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଆଉ ଏହାସହ ଫଡନବୀଶ ସରକାରକୁ ପୁଣିଥରେ ୨୪ ଘଣ୍ଟାର ଆଶ୍ୱସ୍ତି ମିଳିଛି । ଆଜି ସୁପ୍ରିମକୋର୍ଟରେ ପ୍ରାୟ ଦୁଇ ଘଣ୍ଟା ଧରି ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ଏହି ମାମଲାର ରାୟ ଦେବାକୁ ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀଶଙ୍କ ଶପଥ ଗ୍ରହଣ ବିରୋଧରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ ଏନସିପି-କଂଗ୍ରେସ-ଶିବସେନା । ଏହି ମାମଲାର ଶୁଣାଣି କରି ୨୪ ଘଣ୍ଟା ମଧ୍ୟରେ ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ ୩ ଦଳ ।

ତେବେ ଆଜି ଶୁଣାଣି ବେଳେ ସବୁ ପକ୍ଷର ଯୁକ୍ତି ଶୁଣିଥିଲେ ୩ ଜଣିଆ ଖଣ୍ଡପୀଠ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉଭୟ ରାଜ୍ୟପାଳ ଓ ଅଜିତ ପାୱାରଙ୍କ ଚିଠି ୩ ଜଣିଆ ଖଣ୍ଡପୀଠ ଆଗରେ ଉପସ୍ଥାପନ କରିଥିଲେ । ଯେଉଁଥିରେ ବିଧାୟକ ମାନଙ୍କ ସମର୍ଥନ ଥିବା ନେଇ ଦସ୍ତଖତ ରହିଥିଲା । ବିଜେପିର ୧୦୫ ଓ ଅଜିତ ପାୱାର ୫୪ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେବା ପରେ ଫଡନବୀଶଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରାଯାଇଥିଲା ବୋଲି ସଲିସିଟର ଜେନେରାଲ କହିଛନ୍ତି । ରାଜ୍ୟପାଳଙ୍କ ନିକଟକୁ ଚିଠି ଆସିବା ପରେ ସେ ଏଭଳି ନିଷ୍ପତି ନେଇଥିଲେ ।

ସେହିଭଳି ଶିବସେନା ପକ୍ଷରୁ ଯୁକ୍ତି ରଖିଥିଲେ କପିଲ ଶିବଲ । ନିଜ ଯୁକ୍ତିରେ ସିବଲ କହିଥିଲେ, ରାଜ୍ୟପାଳ ସରକାର ଗଢିବାକୁ ୨୦ ଦିନ ପାଇଁ ସମୟ ଦେଇପାରିଲେ କିନ୍ତୁ ଆଉ ୨୪ ଘଣ୍ଟା ଅପେକ୍ଷା କରିପାରିଲେ ନାହିଁ । ଏନସିପି-କଂଗ୍ରେସ-ଶିବସେନା ମିଳିତ ଭାବେ ଡିସେମ୍ବର ୨୨ରେ ସରକାର ଗଢିବାକୁ ନିଷ୍ପତି ନେଲେ କିନ୍ତୁ ଏମିତି ଗୋଟିଏ ରାତିରେ କଣ ହେଲା ଯେ, ସରକାର ଗଢିବାକୁ ମନା କରୁଥିବା ଫଡନବୀଶ ବଡି ଭୋରରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଏମିତି କଣ ଜରୁରୀକାଳୀନ ସ୍ଥିତି ହେଲା ଯେ, ସୂର୍ଯ୍ୟୋଦୟ ପୂର୍ବରୁ ରାଷ୍ଟ୍ରପତି ଶାସନ ହଟାଗଲା ଓ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଅଜିତ ଶପଥ ନେଲେ । ଏହାର ଗୁମର ପୂରା ଦେଶ ଜାଣିବା ଆବଶ୍ୟକ ।

ଅନ୍ୟପଟେ ଏନସିପିର ପକ୍ଷ ରଖୁଥିବା ଅଭିଷେକ ମନୁ ସିଂଘଭି ନିଜ ଯୁକ୍ତିରେ କହିଛନ୍ତି, ଦୁଇ ପକ୍ଷ ଯଦି ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ଏଥିରେ ବିଳମ୍ବ କାହିଁକି ହେଉଛି । ଅଜିତ ପାୱାର ରାଜ୍ୟପାଳଙ୍କୁ ଦେଇଥିବା ସମର୍ଥନ ପତ୍ର ସମ୍ପୂର୍ଣ୍ଣ ଭାବେ ନକଲି । ତେଣୁ ସୁପ୍ରିମକୋର୍ଟ ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

ଏନସିପି ଓ ଶିବସେନା ଓକିଲଙ୍କ ଯୁକ୍ତିକୁ ଚ୍ୟାଲେଞ୍ଜ କରି ବିଜେପି ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି, ବିଧାନସଭାର କିଛି ପରମ୍ପରା ରହିଛି, ଯାହାର ପାଳନ ହେବା ଆବଶ୍ୟକ । ପ୍ରଥମେ ବିଧାୟକଙ୍କ ଶପଥଗ୍ରହଣ, ରାଜ୍ୟପାଳଙ୍କ ଅଭିଭାଷଣ, ବାଚସ୍ପତି ନିଯୁକ୍ତ ହେବା ଆବଶ୍ୟକ । ପରେ ଫ୍ଲୋର ଟେଷ୍ଟ ପାଇଁ ବାଚସ୍ପତି ଅନୁମତି ଦେଇପାରିବେ । ରାଜ୍ୟପାଳ ଫ୍ଲୋର ଟେଷ୍ଟ ପାଇଁ ୧୪ ଦିନର ସମୟ ଦେଇଛନ୍ତି । ତେଣୁ ଆଗାମି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଫ୍ଲୋର ଟେଷ୍ଟ ହୋଇପାରିବ ନାହିଁ ।

ଏହାପୂର୍ବରୁ କଂଗ୍ରେସ-ଏନସିପି-ଶିବସେନା ନିଜ ରିଟ୍ ପିଟିସନରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀଶ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ ଗ୍ରହଣକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଥିଲେ । ଏପରିକି ବିନା ବହୁମତରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ରେ ଫଡନବୀଶ ଶପଥ ନେଇଥିବା ଦର୍ଶାଇଥିଲେ । ତେଣୁ ଯଥାଶୀଘ୍ର ଏହି ମାମଲାର ଶୁଣାଣି କରି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ଜଣାଇଥିଲେ ୩ ଦଳ ।