କନକ ବ୍ୟୁରୋ : ପ୍ରେମ ବିବାହକୁ ନେଇ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । ଜାତି-ଜାତକ-ଯୈାତୁକଶୂନ୍ୟ ପ୍ରେମ ବିବାହ ଭଳି କାମ କରିଆସୁଥିବା ସଂସ୍ଥା ଆମାଫୋଇ ଉପରେ ୯ ବର୍ଷ ଧରି ଚାଲିଥିବା ମାମଲାର ଶେଷ ହୋଇଛି ଶୁଣାଣି । ସୁପ୍ରମିକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରି ପ୍ରେମ ବିବାହକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

Advertisment

ସୂଚନା ମୁତାବକ, ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ମନ୍ଦାକୀନୀ ବୁନୁ ବେହେରା ନାମକ ଜଣେ ଯୁବକଙ୍କୁ ଭଲ ପାଇଥିଲେ । ପରେ ୨୦୧୩ ମସିହାରେ ଆମାଫୋଇ ଉଭୟଙ୍କର ବିବାହ କରାଇଥିଲା । ଖଣ୍ଡାୟତ ପରିବାରରେ ଜନ୍ମ ହୋଇଥିବା ମନ୍ଦାକିନୀ ଜାତିଗତ ବିଚାରକୁ ବେଖାତିର କରି ପ୍ରେମ କରୁଥିବା କୈବର୍ତ ଜାତିର ବୁନୁ ବେହେରାଙ୍କୁ ବିବାହ କରିଥିଲେ । ତେଣୁ ଏଥିରେ ଖୁସି ନଥିଲେ ମନ୍ଦାକିନୀଙ୍କ ବାପା । ସେଥିପାଇଁ ତାଙ୍କ ବାପା ଅମୂଲ୍ୟ କୁମାର ଜେନା ଓଡ଼ିଶା ହାଇକୋର୍ଟରେ ଅଭିଯୋଗ କରିଥିଲେ ।

ମନ୍ଦାକିନୀ ଜେନାଙ୍କ ସ୍କୁଲ ସାର୍ଟିଫିକେଟରେ ଦର୍ଶାଯାଇଥିବା ଜନ୍ମ ତାରିଖ ୧୯୯୫ ଜୁନ ୨ ତାରିଖକୁ ବିଚାରକୁ ନେଇ ଓଡ଼ିଶା ହାଇକୋର୍ଟ ଖଣ୍ଡପୀଠ ଆମାଫୋଇକୁ ଉକ୍ତ କେସରେ ଅର୍ନ୍ତଭୁକ୍ତ କରାଇଥିଲେ । ସାର୍ଟିଫିକେଟରେ ଥିବା ଜନ୍ମତାରିଖ ଅନୁଯାୟୀ ମନ୍ଦାକିନୀକୁ ନାବାଳିକା ଭାବେ ଅଭିହୀତ କରି ଖଣ୍ଡପୀଠ ଆମାଫୋଇକୁ ଦୋଷୀ ତାଲିକାଭୁକ୍ତ କରିଥିଲେ । ଏଥିପାଇଁ ଓଡ଼ିଶା ହାଇକୋର୍ଟ ୨୦୧୩, ଅକ୍ଟୋବର-ନଭେମ୍ବର ମାସରେ ୨ ଲକ୍ଷ ଟଙ୍କାର ଏକ କଡ଼ା ଆର୍ଥିକ ଦଣ୍ଡରେ ଆମାଫୋଇକୁ ଦଣ୍ଡିତ କରିଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରମିକୋର୍ଟ ଯାଇଥିଲା ଆମାଫୋଇ ।