ମୁଖ୍ୟ  ନିର୍ବାଚନ କମିଶନ ନିଯୁକ୍ତି ବିବାଦ । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ, ନ୍ୟାୟପାଳିକା କରିପାରିବେନି ହସ୍ତକ୍ଷେପ

295

କନକ ବ୍ୟୁରୋ : ଦେଶର ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ମୁହାଁମୁହିଁ ପରିସ୍ଥତିରେ ସରକାର ଏବଂ ସୁପ୍ରିମକୋର୍ଟ୍ । ନିର୍ବାଚନ କମିଶନ ନିଯୁକ୍ତି ପ୍ରକିୟା ଉପରେ  ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ପରେ ଏହାର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ସରକାର । ସମ୍ବିଧାନର ନିୟମ ଅନୁସାରେ ସ୍ୱଚ୍ଛ ପ୍ରକ୍ରିୟାରେ ସିଇସି ଓ ଇସି ନିଯୁକ୍ତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ଗୁରୁବାର ଅଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ସୁପ୍ରିମକୋର୍ଟର ଖଣ୍ଡପୀଠକୁ ଜଣାଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ । ଏଥିରେ ହସ୍ତକ୍ଷେପ କରିବା ପ୍ରତାରଣା ସହ ସମାନ । ଏହା ସମ୍ବିଧାନ ପାୱାର ବଂଟନର ଉଲଙ୍ଘନ ବୋଲି ଭେଙ୍କଟ ରମଣ ଜବାବରେ କହିଛନ୍ତି ।

ଏଭଳି ଜବାବ ଦେବା ସହ ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଯଦି କୌଣସି ଅଯୋଗ୍ୟ ବ୍ୟକ୍ତି ସିଇସି ନିଯୁକ୍ତ ହେଉଛନ୍ତି ତେବେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିପାରିବେ । ହେଲେ ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା  ଉଚିତ ନୁହେଁ ।

ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ଦିନର ମାରାଥନ ଶୁଣାଣି ପରେ ଗୁରୁବାର କହିଛନ୍ତି, ଗୋଟିଏ ଦିନର ପ୍ରକ୍ରିୟା, ଗୋଟିଏ ଦିନରେ ମଞ୍ଜୁରୀ, ଗୋଟିଏ ଦିନରେ ଦରଖାସ୍ତ ଏବଂ ସମାନ ଦିନରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତ କରାଯାଉଛି । ନିଯୁକ୍ତିର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ୨୪ ଘଂଟା ବି ଲାଗୁନି ବୋଲି କ୍ଷୋଭ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ବିଜୁଳି ବେଗରେ ସିଇସି ନିଯୁକ୍ତ କରାଯାଉଛି । କେଉଁ ଆଧାରରେ ଆଇନ ମନ୍ତ୍ରୀ ୪ ଜଣଙ୍କ ନାମ ଚୟନ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ ସବୁଠୁ କନିଷ୍ଠଙ୍କୁ ସିଇସି ଭାବେ ବାଛୁଛନ୍ତି । ସେହି ୪ ଜଣ ଅଧିକାରୀ ଖାଲି ହଁ ମାରୁଥିବା ବ୍ୟକ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଚାରପତି ଜଷ୍ଟିସ୍ ରାସ୍ତୋଗୀ ।

ନିର୍ବାଚନ ଆୟୋଗଙ୍କୁ ରାଜନୈତିକ ଚାପରୁ ମୁକ୍ତ ରଖିବା ପାଇଁ ହୋଇଥିବା ପିଟିସନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ସିଇସିଙ୍କ ପାଖରେ ଯଦି କ୍ଷମତା ନଥିବ, ତେବେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡିବ ।