କନକ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ଦୁର୍ନୀତିରେ ଅଧିକାରୀଙ୍କ ଭୂମିକାର ଯାଞ୍ଚ ପାଇଁ ପିଟିସନ ଦାଖଲ ହୋଇଛି । ସୁପ୍ରିମକୋର୍ଟରେ ଦାଖଲ ପିଟିସନ ଆଧାରରେ ଆରବିଆଇ-ସିବିଆଇକୁ କୋର୍ଟ ନୋଟିସ କରିଛନ୍ତି । ସ୍ୱାମୀଙ୍କ ପିଟିସନରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀ ତରଫରୁ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ଦାବି ହେଉଛି । ଏନେଇ ସୋମବାର ଶୁଣାଣି ପରେ କୋର୍ଟ ନୋଟିସ ଜାରିକରିଛନ୍ତି ।

ଶୁଣାଣି ବେଳେ ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ବିବି ନାଗରତ୍ନା ଆରବିଆଇ ଏବଂ ସିବିଆଇଙ୍କୁ ନୋଟିସ ଜାରି କରି ଜବାବ ଦାଖଲ ପାଇଁ କୁହାଯାଇଛି । ଏହା ପୂର୍ବରୁ ସ୍ୱାମୀ କୋର୍ଟରେ ନିଜର ପକ୍ଷ ରଖିଥିଲେ । ଉଭୟ ବିଚାରପତି ସ୍ୱାମୀଙ୍କ ପକ୍ଷ ଶୁଣିବା ପରେ ଏହାକୁ ଗ୍ରହଣ କରିଥିଲେ । ସ୍ୱାମୀ ଆହୁରି ମଧ୍ୟ କହିଥିଲେ, ବ୍ୟାଙ୍କିଙ୍ଗ ଠକେଇର ଅନେକ ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ଭୂମିକା ଯାଞ୍ଚ ଏଜେନ୍ସି କୌଣସି ପ୍ରକାରର ଯାଞ୍ଚ କରୁନାହାନ୍ତି । ସେ ବିଜୟ ମାଲ୍ୟା ଏବଂ ଅନ୍ୟମାନଙ୍କ ଉଦାହରଣ କୋର୍ଟ ଆଗରେ ରଖିଥିଲେ । ସେହିଭଳି ସେ କହିଛନ୍ତି ରିସ୍କ ମ୍ୟାନେଜରଙ୍କ କାମ ହେଉଛି ଯେକୌଣସି ବ୍ୟକ୍ତିଙ୍କୁ ଲୋନ ଦେବା ପୂର୍ବରୁ ତାଙ୍କ ନେଇ ଥିବା ସମସ୍ତ ବିପଦର ଆକଳନ କରିବା । ତେବେ ଅନେକ ସମୟରେ ପଚରାଉଚରା କରାଯାଉନାହିଁ ।