ଦାଗୀ ନେତାଙ୍କୁ ନିସ୍ତାର ନାହିଁ! ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ପ୍ରାର୍ଥୀଙ୍କ ଅପରାଧ ମାମଲାକୁ ଗଣମାଧ୍ୟମରେ ବାରମ୍ବାର ଦେଖାଅ ।

42

କନକ ବ୍ୟୁରୋ : ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ଉମା ଭାରତୀ ଓ ପପୁ ଯାଦବଙ୍କ ଭଳି ଅନେକ ନେତାଙ୍କୁ ବଡ ଆଶ୍ୱସ୍ତି ମିଳିଛି । କାରଣ ଅପରାଧ ମାମଲାରେ ଚାର୍ଜସିଟ୍ ହୋଇଥିଲେ ମଧ୍ୟ ନେତାମାନେ ନିର୍ବାଚନ ଲଢିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କିନ୍ତୁ ଗଣତନ୍ତ୍ରକୁ ଅପରାଧ ମୁକ୍ତ କରିବା ପାଇଁ ଆଇନ ଆଣିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ସେହିପରି ଦାଗୀ ନେତାଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଲୋକଙ୍କ ଆଗରେ ରଖିବାକୁ ରାଜନୈତିକ ଦଳକୁ ନିର୍ଦେଶ ଦେଇଛନ୍ତି । ପ୍ରାର୍ଥୀଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରିବାକୁ କହିଛନ୍ତି କୋର୍ଟ ।

କୌଣସି ଅପରାଧିକ ମାମଲାରେ କେବଳ ଚାର୍ଜସିଟ୍ ହୋଇଥିଲେ ନିର୍ବାଚନ ଲଢିପାରିବେ ନେତା । ଅର୍ଥାତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନଥିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାରେ କୌଣସି ଅସୁବିଧା ନାହିଁ । ଏ ସଂପର୍କିତ ଏକ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । କୋର୍ଟ କହିଛନ୍ତି-
– ଦାଗି ନେତାଙ୍କୁ ଦୂରେଇ ରଖିବାକୁ ହେଲେ ସଂସଦରେ ଆଇନ ଅଣାଯାଇ ପାରିବ
– ଗଣତନ୍ତ୍ରରୁ ଟଙ୍କା ଓ ବାହୁ ବଳକୁ ଦୂରେଇ ରଖିବା ପାର୍ଲାମେଂଟର ଦାୟିତ୍ୱ
– କେବଳ ଚାର୍ଜସିଟ୍ ଥିଲେ ନିର୍ବାଚନ ଲଢିବାରୁ ଅଯୋଗ୍ୟ ସାବ୍ୟସ୍ତ କରିହେବନି

ତେବେ ଦେଶର ଗଣତନ୍ତ୍ର ପାଇଁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କୋର୍ଟ ଆହୁରି କହିଛନ୍ତି ଯେ,
– ପ୍ରାର୍ଥୀଙ୍କ ବିରୋଧରେ ଥିବା ଅପରାଧ ମାମଲାର ବିସ୍ତୃତ ତଥ୍ୟ ଦେବାକୁ ପଡିବ
– ପ୍ରାର୍ଥୀଙ୍କ ଅପରାଧ ତଥ୍ୟକୁ ରାଜନୈତିକ ଦଳ ସର୍ବସମ୍ମୁଖରେ ରଖିବାକୁ ବାଧ୍ୟ
– ପ୍ରାର୍ଥୀ ମଧ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅପରାଧ ତଥ୍ୟ ଦାଖଲ କରିବେ
– ପ୍ରାର୍ଥୀଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଜାଣିବା ପରେ ହିଁ ଭୋଟର ବାଛିବେ

ବାବ୍ରି ଢାଂଚା ଭଙ୍ଗ ମାମଲାରେ ଲକ୍ଷେ୍ନø ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶରେ ଏଲ.କେ ଆଡଭାନୀ, ମୂରଲି ମନୋହର ଯୋଶୀ ଓ ଉମା ଭାରତୀଙ୍କ ଭଳି ଜାତୀୟସ୍ତରର ବଡବଡ ନେତାଙ୍କ ବିରୋଧରେ ଅପରାଧ ମାମଲା ଚାଲିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏମାନେ ଆଗାମୀ ନିର୍ବାଚନ ଲଢିବା ପାଇଁ ବାଟ ଫିଟିଛି ।
– ୧୭୬୫ ସାଂସଦ, ବିଧାୟକଙ୍କ ବିରୋଧରେ ୩୦୪୫ ମାମଲା ରହିଛି
– ୫୪୧ ମଧ୍ୟରୁ ୫୩ ଜଣ ସାଂସଦଙ୍କ ବିରୋଧରେ ଅଛି ଅପରାଧ ମାମଲା
– ପ୍ରଥମଥର ସାଂସଦ ବନିଥିବା ୨୩ ଜଣଙ୍କ ବିରୋଧରେ ଅପରାଧ ମାମଲା
– ଦେଶରେ ସର୍ବାଧିକ ଉତ୍ତର ପ୍ରଦେଶରେ ଦାଗି ନେତା ରହିଥିବା ସୂଚନା

ଦାଗି ନେତାଙ୍କୁ ନିର୍ବାଚନୀ ପ୍ରତିଦ୍ୱନ୍ଦିତାରୁ ଦୂରେଇ ରଖିବା ବିରୋଧରେ ଯୁକ୍ତି ରଖିଥିଲେ କେନ୍ଦ୍ର ସରକାର । ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କୋର୍ଟଙ୍କୁ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ଉଦ୍ଦେଶ୍ୟମୂଳକ ଭାବରେ ନେତାଙ୍କ ବିରୋଧରେ ଚାର୍ଜସିଟ୍ ହୁଏ । ତେଣୁ ନେତାଙ୍କୁ ନିର୍ବାଚନ ଲଢିବାରୁ ଦୂରେଇ ରଖିବା ଅର୍ଥ ତାଙ୍କ ମୌଳିକ ଅଧିକାରକୁ ଛଡାଇ ନେବା । ଦାଗି ନେତାଙ୍କ ବିରୋଧରେ ଥିବା ମାମଲାର ଫାଷ୍ଟଟ୍ରାକ କୋର୍ଟଗୁଡିକରେ ତ୍ୱରିତ ବିଚାର କରାଯାଉଥିବା ସେ ସୂଚନା ଦେଇଥିଲେ ।