କନକ ବ୍ୟୁରୋ : ନିଟ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରଠାରୁ ବିବାଦ ଆରମ୍ଭ ହୋଇଛି । ପରୀକ୍ଷାଫଳରେ ଅନିୟମିତତା ଅଭିଯୋଗ ନେଇ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଯାହାର ଶୁଣାଣି କରି ଆଜି ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ଏନଟିଏ ସ୍ପଷ୍ଟ କରିଛି ଯେ, ଯେଉଁ ୧୫୬୩  ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା ତାହାକୁ ରଦ୍ଦ କରାଯିବ । ଏହାସହ ସେମାନଙ୍କ ପାଇଁ ପୁଣିଥରେ ପରୀକ୍ଷା ଆୟୋଜିତ କରାଯିବ । ଛାତ୍ରଛାତ୍ରୀଙ୍କୁ ଏନଟିଏ ଦୁଇଟି ବିକଳ୍ପ ଦେଇଛି, ପୁଣିଥରେ ନିଟ୍ ପରୀକ୍ଷା ଦିଅନ୍ତୁ ନଚେତ ଗ୍ରେସ ମାର୍କ ବିନା ନିଟ୍ ୟୁଜି କାଉନସିଲିଂରେ ସାମିଲ ହୁଅନ୍ତୁ ।

Advertisment

ଆସନ୍ତା ୨୩ ଜୁନରେ ୧୫୬୩ ଜଣ ଛାତ୍ରଛାତ୍ରୀ ପୁଣିଥରେ ନିଟ୍ ପରୀକ୍ଷା ଦେବା ପରେ କାଉନସିଲିଂରେ ବସିବେ । ଜୁନ୍ ୩୦ ସୁଦ୍ଧା ଏନଟିଏ ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବ । ଚଳିତଥର ନିଟ୍ ପରୀକ୍ଷାରେ ୬୭ ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି । ହରିୟାଣାର ଏକ ସେଣ୍ଟରରୁ ୬ ଜଣ ୭୨୦ ନମ୍ବର ରଖିଥିଲେ । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା ଏବଂ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ଅନ୍ୟପଟେ ନିଟ୍ ପରୀକ୍ଷାଫଳ ବିବାଦକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ପରୀକ୍ଷାରେ କୌଣସି ଦୁର୍ନୀତି ହୋଇନି । ପୂରା ସ୍ୱଚ୍ଛତାର ସହ ପରୀକ୍ଷା ହୋଇଛି । କୌଣସି ପେପର ମଧ୍ୟ ଲିକ୍ ହୋଇନି । କେହି ଦୋଷୀ ସାବ୍ୟସ୍ତ ହେଲେ ନିଶ୍ଚୟ ଦଣ୍ଡିତ କରାଯିବ । ଏଥିପାଇଁ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି । ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାର ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବେ ।