ପୌର ନିର୍ବାଚନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ଝଟକା! କହିଲେ, ୫୦ ପ୍ରତିଶତ ଟପିବନି ସଂରକ୍ଷଣ, ନିର୍ଦ୍ଦେଶ ପରେ ପୁଣି ଘୁଂଚିଲା ପୌର ନିର୍ବାଚନ ପଦ୍ମ

27

କନକ ବ୍ୟୁରୋ : ଆସନ୍ତା ୩୦ ତାରିଖରେ ଶେଷ ହେଉଛି ପୌର ପାଳିକାର କାର୍ଯ୍ୟକାଳ । ହେଲେ ପୌର ନିର୍ବାଚନ ପଦ୍ମ ଘଂଚି ଘୁଂଚି ଯାଉଛି । ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହେବନାହିଁ ବୋଲି ହାଇକୋର୍ଟ ଦେଇଥିବା ରାୟକୁ ଆଜି କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଆଇନର ଏହି ଲଢ଼େଇ ଭିତରେ ଅନିଶ୍ଚତତା ଭିତରକୁ ଚାଲିଯାଇଛି ପୌର ନିର୍ବାଚନ । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ଅନିଶ୍ଚିତତା ଘେରରେ ପୌର ନିର୍ବାଚନ । ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଆଜି ଝଟକା ଲାଗିଛି । ପୂର୍ବରୁ ହାଇକୋର୍ଟ ଦେଇଥିବା ରାୟ ଉପରେ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହେବନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଂଜ କରି ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଥିଲେ ରାଜ୍ୟ ସରକାର ।

୩୦ ତାରିଖ ସୁଦ୍ଧା ୯୧ଟି ମ୍ୟୁନିସିପାଲିଟିର କାର୍ଯ୍ୟକାଳ ସରୁଛି । ୨୦୧୨ ପଂଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଂଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ଟପିଥିଲା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୌର ନିର୍ବାଚନ ଏକ ପ୍ରକାର ଅନିଶ୍ଚିତତା ଘେରକୁ ଚାଲିଯାଇଛି । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

କଂଗ୍ରେସ କହିଛି, ପାଞ୍ଚ ବର୍ଷ ମଧ୍ୟରେ ପୌର ନିର୍ବାଚନ ହେବା କଥା । କିନ୍ତୁ ଏବେ ସମୟକୁ ଦେଖିଲେ ଏହା ଆଉ ସମ୍ଭବପର ଲାଗୁନାହିଁ । ଯାହା ଦର୍ଶାଉଛି ରାଜ୍ୟ ସରକାର ନିଜ ଉଦ୍ୟମରେ ସଫଳ ହୋଇଛନ୍ତି । ସେହିଭଳି ବିଜେପି କହିଛି, ପୌର ନିର୍ବାଚନକୁ ଡରୁଛି ବିଜେଡି । ହାରିବାର ଭୟ ଯୋଗୁଁ ବାରମ୍ବାର ନୂଆ ନାଟକ କରୁଛନ୍ତି ରାଜ୍ୟ ସରକାର । ତେବେ ଏହାର ଜବାବରେ ବିଜେଡି କହିଛି, ସୁପ୍ରିମକୋର୍ଟରୁ ଆସିଥିବା ରାୟର ତର୍ଜମା ପରେ ରାଜ୍ୟ ସରକାର ଏନେଇ ନିଷ୍ପତି ନେବେ । ଆଉ ଏସବୁ ଭିତରେ ପୌର ନିର୍ବାଚନ ପଦ୍ମ ଘୁଂଚି ଘୁଂଚି ଯାଉଥିବା ବେଳେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ।