ନିର୍ବାଚନ କମିଶନର ନିଯୁକ୍ତି ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ କୋର୍ଟ

114

କନକ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଓ ୨ ଜଣ ନିର୍ବାଚନ କମିଶନର ନିଯୁକ୍ତିରେ ଅଧିକ ପାରଦର୍ଶିତା ଆଣିବାକୁ ହୋଇଥିବା ଦାବି ଉପରେ ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି    । ଏହି ଆବେଦନରେ ଅନୁରୋଧ କରାଯାଇଥିଲା କି ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଗଠିତ ହୋଇଥିବା କମିଟିରେ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କୁ ସାମିଲ କରାଯିବା ଆବଶ୍ୟକ । ଏଭଳି ବଡ ସାମ୍ବିଧାନିକ ପଦରେ ସିଧାସଳଖ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଯିବା ଠିକ୍ ନୁହେଁ ବୋଲି ଆବେଦନକାରୀ ଯୁକ୍ତି ବାଢିଥିଲେ ।

ଜଷ୍ଟିସ କେ.ଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ଦିନ ଧରି ଏହି ମାମଲାର ଶୁଣାଣି କରିଛନ୍ତି । ଏହି ଖଣ୍ଡପୀଠର ଅନ୍ୟ ୪ ଜଣ ସଦସ୍ୟ ହେଉଛନ୍ତି ଜଷ୍ଟିସ ଅଜୟ ରେସ୍ତୋଗୀ, ଜଷ୍ଟିସ ହୃଷିକେଶ ରାୟ, ଜଷ୍ଟିସ ଅନିରୋଧ ବୋସ ଓ ଜଷ୍ଟିସ ସିଟି ରବିକୁମାର । ଶୁଣାଣି ଶେଷରେ ଖଣ୍ଡପୀଠ ଉଭୟପକ୍ଷଙ୍କୁ କହିଥିଲେ କି ୫ ଦିନ ମଧ୍ୟରେ ନିଜ ନିଜର ଦଲିଲ ସଂକ୍ଷେପରେ ଲେଖି କୋର୍ଟରେ ଜମା କରିବାକୁ ।

ଶୁଣାଣି ବେଳେ କୋର୍ଟ କହିଥିଲେ କି, ମୁଖ୍ୟ ନିର୍ବାଚନ କମିଶନର ପଦରେ ବସିଥିବା ବ୍ୟକ୍ତି ଏଭଳି ହେବା ଆବଶ୍ୟକ କି, ଯେ କି କାହାଦ୍ୱାରା ପ୍ରଭାବିତ ହେବେ ନାହିଁ । ଯଦି ପ୍ରଧାନମନ୍ତ୍ରୀଙ୍କ ଉପରେ ବି କିଛି ଅଭିଯୋଗ ଆସେ ତେବେ ବି ଯେମିତି ସେ ମଜବୁତ ସହକାରେ ନିଜୟ ଦାୟିତ୍ୱ ତୁଲାଇପାରିବେ । ନିର୍ବାଚନ କମିଶନର ଚୟନ ପ୍ରକ୍ରିୟାରେ ମୁଖ୍ୟ ବିଚାରପତି ସାମିଲ ହେଲେ ଏହା ସୁନିଶ୍ଚିନ୍ତ ହୋଇପାରିବ କି ଜଣେ ମଜବୁତ ବ୍ୟକ୍ତି ଏଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦରେ ଅବସ୍ଥାପିତ ହୋଇପାରିବ ।

ସେପଟେ ୫ ଜଣିଆ ବିଚାରପତିଙ୍କ ଏହି ଖଣ୍ଡପୀଠ ଶୁଣାଣି ବେଳେ ଦେଶର ଦଶମ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷାନଙ୍କୁ ମନେ ପକାଇଥିଲେ । ଖଣ୍ଡପୀଠ କହିଥିଲେ କି ୧୯୯୦ ରୁ ୧୯୯୬ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଥିବା ଟିଏନ ଶେଷାନ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନିର୍ବାଚନ ପ୍ରକ୍ରିୟାରେ ଅନେକ ସୁଧାର ଆଣିପାରିଥିଲେ । ଏହାପରେ ଦେଶରେ ଅନେକ ନିର୍ବାଚନ କମିଶନର ନିଯୁକ୍ତ ହୋଇଛନ୍ତି । ହେଲେ କେହି ବି ଟିଏନ ଶେଷାନଙ୍କ ଭଳି ନିର୍ଭିକ ନିର୍ବାଚନ କମିଶନରଙ୍କ ଭଳି କାର୍ଯ୍ୟ କରିପାରି ନାହାଁନ୍ତି ।

ସେପଟେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ କାହିଁକି ୬ ବର୍ଷ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି । ଖଣ୍ଡପୀଠ କହିଥିଲେ ନିର୍ବାଚନ କମିିଶନର ଆକ୍ଟ ୧୯୯୧ ରେ କାର୍ଯ୍ୟକାଳ ୬ ବର୍ଷ ରହିବାକୁ କୁହାଯାଇଛି ।