କନକ ବ୍ୟୁରୋ : ଚିଟଫଣ୍ଡ ଦୁର୍ନୀତି ମାମଲାକୁ ୧୦ ବର୍ଷ ପୁରିଲାଣି । ନା ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିଲା ନା ଦୁର୍ନୀତି କରିଥିବା ଲୋକଙ୍କୁ ସଠିକ ଦଣ୍ଡ ମିଳିଲା । ଗୋଟିଏ ପଟେ ଜମାକାରୀ ନିଜର କଷ୍ଟ ଉପାର୍ଜିତ ଧନ ହରାଇ ହତାସ ଭିତରେ କାଳ କାଟୁଛନ୍ତି ତ କିଛି ଜମାକାରୀ ଏସବୁ କଥାକୁ ଭୁଲି ଗଲେଣି । ହେଲେ ଏବେ ପୁଣି ସୁପ୍ରିମକୋର୍ଟ ଜମାକାରୀଙ୍କ ମନରେ ଆଶା ସଂଚାର କରିଛି ।

Advertisment

ଓଡିଶାରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ସିବିଆଇ ଓ ଓଡିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ନେଇ ସାମାଜିକ କର୍ମୀ ପିନାକ ପାଣି ମହାନ୍ତିଙ୍କ ଦ୍ୱାରା କରାଯାଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନୋଟିସ ଜାରି କରିଛନ୍ତି । ବିଚାରପତି ଜଷ୍ଟିସ ଏମଆର ଶାହା ଓ ବିଚାରପତି ଜଷ୍ଟିସ କ୍ରୀଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ଉପସ୍ଥାପନ କରି କହିଥିଲେ କି, ପିଟିସନ ବା ଦଲିଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ଏହି ମାମଲାକୁ ୯ ବର୍ଷ ପୁରି ଯାଇଥିଲେ ବି ଜଣେ କେହି ଜମାକାରୀ ସେମାନଙ୍କ ଜମା ଅର୍ଥ ଫେରସ୍ତ ପାଇପାରି ନାହିାଁନ୍ତି । ସେପଟେ ସରକାରଙ୍କ ତରଫରୁ ଚିଟଫଣ୍ଡ କମ୍ପାନୀର ଅନେକ ସମ୍ପତ୍ତି ଜବତ ହୋଇଛି । ହେଲେ ଜମାକାରୀଙ୍କୁ ଗୋଟିଏ ବି ଟଙ୍କା ଫେରସ୍ତ କରାଯାଇନାହିଁ ବୋଲି ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢିଥିଲେ ।

ଏହାସହ ଓଡିଶାରେ ସାହାରା କମ୍ପାନୀର ୪ ଟି କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ ସିବିଆଇ ଯାଂଚ ପାଇଁ ନିର୍ଦ୍ଦେଶ ଦେବାକୁ ଓକିଲ ପ୍ରଶାନ୍ତ ଭୂଷଣ ଖଣ୍ଡପୀଠର ଦୃଷ୍ଟି ଆକର୍ଷଣ କରିଥିଲେ ।