ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ପାଣ୍ଠି ଦାଖଲ କରିବେ । ମେ’ ୩୦ ସୁଦ୍ଧା ନିର୍ବାଚନ କମିଶନଙ୍କୁ ବନ୍ଦ ଲଫାପାରେ ଦେବେ ରିପୋର୍ଟ

110

କନକ ବ୍ୟୁରୋ: ନିର୍ବାଚନୀ ପାଣ୍ଠି ନେଇ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମେ ୩୦ ସୁଦ୍ଧା ବନ୍ଦ୍ ଲଫାପାରେ ମେ ୧୫ ଭିତରେ ସେମାନଙ୍କୁ ମିଳିଥିବା ଅର୍ଥରାଶିର ବିବରଣି ଦେବାକୁ ବିଭିନ୍ନ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚନ୍ୟାୟାଳୟ । ଏପରିକି କିଏ ଚାନ୍ଦା ଦେଇଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ସେହିପରି ନିର୍ବାଚନ ସମୟରେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ନକରିବାକୁ କୋର୍ଟ ଆଦେଶ ଦେଇଛନ୍ତିି । ନିର୍ବାଚନୀ ବଣ୍ଡ ବିକ୍ରିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏକ ଏନଜିଓ ।

ଇଲେକ୍ଟ୍ରୋରାଲ ବଣ୍ଡ ଜାରି କରିବା ଉପରେ ରୋକ୍ ଲଗାଇବା ପାଇଁ କିମ୍ବା ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱଛ ରଖିବାକୁ କିଏ ଏହି ବଣ୍ଡ କିଣୁଛନ୍ତି ତାହା ସାର୍ବଜନୀନ କରିବାକୁ ଅପିଲ କରିଥିଲା ଏନଜିଓ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ଗୁରୁବାର ରାୟକୁ ସଂରକ୍ଷିତ ରଖିଥିଲେ ।

ଖଣ୍ଡପୀଠ କହିଥିଲେ ଯଦି ଇଲେକଟୋରାଲ ବଣ୍ଡ କିଣୁଥିବା ଲୋକ ବିଷୟରେ ସରକାରଙ୍କ ପାଖରେ ତଥ୍ୟ ନଥାଏ ତେବେ ଆୟକର ଆଇନ ଉପରେ ଏହା ବଡ ପ୍ରଭାବ ପକାଇବ । ତେବେ ବ୍ୟାଙ୍କ ମାଧ୍ୟମରେ ବଣ୍ଡ କିଣାଯାଉଥିବାରୁ କିଣୁଥିବା ଲୋକର କେୱାଇସି ଜଣାଥାଏ ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ କେ. କେ. ଭେନୁଗୋପାଳ । ଇଲେକ୍ଟୋରାଲ ବଣ୍ଡ ଜାରି କରି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ପାଣ୍ଠି ସଂଗ୍ରହ କରିଥାନ୍ତି ।