ଆଇନର ଆଖି ଖୋଲିଦେଲା କି ନିର୍ଭୟା ମାମଲା ! ଏଣିକି ୬ ମାସ ଭିତରେ ସରିବ ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୋଷୀର ସବୁ ଆବେଦନର ଶୁଣାଣି…ଫାଶୀକୁ ନେଇ ସୁପ୍ରିମକୋର୍ଟଙ୍କ ନୂଆ ଗାଇଡଲାଇନ

2,050

କନକ ବ୍ୟୁରୋ: ବିଭିନ୍ନ ଅପରାଧିକ ମାମଲରେ ଦୋଷୀଙ୍କୁ ଦିଆଯାଉଥିବା ମୃତ୍ୟୁ ଦଣ୍ଡାଦେଶ ପ୍ରକ୍ରିୟାରେ ହେଉଥିବା ବିଳମ୍ବକୁ ନଜରରେ ରଖି ଏକ ନୂଆ ଗାଇଡଲାଇନ୍ସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଶୁକ୍ରବାର କୋର୍ଟରେ ଏଭଳି ମାମଲାଗୁଡିକର ଶୁଣାଣି ପାଇଁ ୬ ମାସର ସମୟ ସୀମା ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ୍ ଯେଉଁ ଦିନ ହାଇକୋର୍ଟ ମୃତ୍ୟୁଦଣ୍ଡ  ମାମଲାରେ ନିଷ୍ପତି ଶୁଣାଇବେ ସେହି ଦିନରୁ ଆଗାମୀ ୬ ମାସ ମଧ୍ୟରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଉକ୍ତ ମାମଲାର ସମସ୍ତ ଶୁଣାଣି ଶେଷ କରିବେ । ତେବେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ହେଉଥିବା ବିଳମ୍ବକୁ ନଜରରେ ରଖି ଏଭଳି ଏକ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ସୁପ୍ରିମକୋର୍ଟ ।

ତେବେ ଏଥିପାଇଁ କୋର୍ଟ ପକ୍ଷରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି । ଯେଉଁଥରେ ସ୍ପଷ୍ଟ କରାଯାଇଛି  ଯେ, ହାଇକୋର୍ଟ ଯେଉଁ ଦିନ କୌଣସି ଅପରାଧିକ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡା ଦେଶ ଶୁଣାଇଥିବେ ଆଉ ଏହାକୁ ଚ୍ୟାଲେଂଜ କରି ଦୋଷୀ ଯଦି ଅନ୍ୟ କୌଣସି କୋର୍ଟର ଦ୍ୱାରସ୍ଥ ହୁଏ ତେବେ ସେହି ଦିନଠାରୁ ଆରମ୍ଭ କରି ଆସନ୍ତା ୬ମାସ ମଧ୍ୟରେ ହିଁ ହେି ମାମଲାର ସମସ୍ତ ଶୁଣାଣୀ ସୁପ୍ରିମକୋର୍ଟରେ ଶେଷ କରାଯିବ ।

ସର୍କୁଲାରରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ଯେଉଁ ଭଳି ଭାବରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ତଥା ଏସଏଲପି ଦାଖଲ କରାଯାଏ , ସେହିଭଳି ହିଁ ରେଜଷ୍ଟ୍ରି ମୃତ୍ୟୁ ଦଣ୍ଡାଦେଶ ଶୁଣାଣି କରିଥିବା କୋର୍ଟକୁ ୬୦ ଦିନ (କିମ୍ବା ଯେଉଁ ସମୟ କୋର୍ଟ ସ୍ଥିର କରିବେ) ମଧ୍ୟରେ ସମସ୍ତ ଦସ୍ତାବିଜ ପଠାଇବାକୁ ନିର୍ଦ୍ଦେଶ ଦିଆଯିବ । ଏହାସହ ଜଡିତ କୌଣସି ଅତିରିକ୍ତ ଦସ୍ତାବିଜ କିମ୍ବା ଆବଶ୍ୟକ ପଡିଲେ ଆଂଚଳିକ ଭାଷାର ଦସ୍ତାବିଜର ଟ୍ରାନ୍ସଲେସନ ମଧ୍ୟ ରେଜଷ୍ଟ୍ରକୁ ଦେବାକୁ ପଡିବ । ଯଦି ରେଜଷ୍ଟ୍ରି ପାଇଁ ଅନ୍ୟ ଦସ୍ତାବିଜର ଆବଶ୍ୟକତା ପଡେ ତେବେ ସେ ପକ୍ଷକାରଙ୍କୁ ୩୦ ଦିନର ଅତିରିକ୍ତ ସମୟ ଦିଆଯିବ । ଏହା ସତ୍ୱେ ବି ଯଦି କିଛି ଦସ୍ତାବିଜ ନମିଳେ ତେବେ ମାମଲାଟିକୁ ବିଚାରପତିଙ୍କ ଚାମ୍ବରରେ ସୂଚିବଦ୍ଧ କରାଯିବ ।

ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ତାରିଖ ବାରମ୍ବାର ଘୁଂଚିବା କାରଣରୁ ଦେଶବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ୨୨ ଜାନୁଆରୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗୃହ ମନ୍ତ୍ରାଳୟ  ସର୍ବୋଚ୍ଚ ଅଦାଲତରେ ଦାକଲ କରିଥିବା ଆବେଦନପତ୍ରରେ କହିଛନ୍ତି ଯେ, ମୃତ୍ୟୁ ଦଣ୍ଡ ଉପରେ କ୍ୟୁରେଟିଭ ପିଟିସନ ଦାଖଲ କରିବା ପାଇଁ ସମୟ ସୀମା ସ୍ଥିର କରାଯାଉ । ଡେଥ୍ ୱାରେଂଟ ମିଳିବା ପରେ ୭ ଦିନରେ ଦୟା ବା ରାଜକ୍ଷମା ଆବେଦନ କରିବାର ନିୟମ ରହୁ । ରାଜକ୍ଷମା ଆବେଦନ ଖାରଜ ହେବା ପରେ ୭ ଦିନ ମଧ୍ୟରେ ଡେଥ୍ ୱାରେଂଟ ଏବଂ ଆଗାମୀ  ୭ଦିନ ମଧ୍ୟରେ ଦୋଷୀଙ୍କୁ ଫାଶୀ ହେଉ ବୋଲି । ମାତ୍ର ପ୍ରଚଳିତ ଗାଇଡଲାଇନ ଅନୁସାରେ, କୌଣସି ବି ଦୋଷୀର କୌଣସି ବି ଆବେଦନର ଶୁଣାଣି ବିଳମ୍ବ ହେଲେ ଉକ୍ତ ମାମଲା ସହ ଜଡିତ ଅନ୍ୟ ଦୋଷୀଙ୍କୁ ବି ଫାଶୀ ଦିଆଯାଇପାରିବ ନାହିଁ ।