ଭାରତ ସରକାରଙ୍କ କୋଭିଡ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ କଲେ ଦାୟୀ ।

205

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ନେଇ ଉପୁଜିଥିବା ସ୍ଥିତି ଉପରେ ନିଜ ଆଡୁ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କରୋନା ମହାମାରୀକୁ ନେଇ ଦେଶରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା କହିଛନ୍ତି ସୁପ୍ରିମକୋର୍ଟ ଏବଂ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଗୋଟିଏ ପଟେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ ଓ ଟିକାର ଅଭାବ ଦେଖାଦେଇଛି । ଦେଶରେ କରୋନାର ଏପରି ସ୍ଥିତି ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ଦ ଦେଶରେ ଲଗାତର ବଢିଚାଲିଥିବା କରୋନା ମାମଲା ଓ ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଅଭାବକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି ଯେ, କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପାଖରେ କିଛି ଜାତୀୟ ନୀତି ରହିଛି କି? ବିଶେଷ କରି ୪ଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛନ୍ତି ସୁପ୍ରିମକୋର୍ଟ । ଅକ୍ସିଜେନ୍ ଯୋଗାଣ, କରୋନା ଔଷଧର ଯୋଗାଣ, କରୋନା ଟିକାକରଣର ପ୍ରକ୍ରିୟା ଓ ପ୍ରାଥମିକତା ଏବଂ ଲକଡାଉନ ଲଗାଇବାର ଅଧିକାର କେବଳ ରାଜ୍ୟ ସରକାରଙ୍କୁ ଦିଆଯାଉ ।

କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ ଦାୟୀ କରି ବର୍ଷିଛନ୍ତି ସୁପ୍ରିମକୋର୍ଟ । ୪ଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗିଛନ୍ତି ମୁଖ୍ୟ ବିଚାରପତି । ସଂକ୍ରମଣ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ନେଇଛନ୍ତି ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ ଏଲ ନାଗେଶ୍ୱର, ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ବିଭିନ୍ନ ହାଇକୋର୍ଟରେ ଥିବା ଏ ସଂପର୍କିତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏପରିକି ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ କୋର୍ଟ ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ଶୁକ୍ରବାର ଏନେଇ ଶୁଶାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏହାରି ଭିତରେ ସରକାରଙ୍କଠାରୁ କୋଭିଡ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ବାବଦରେ ତଥ୍ୟ ଦେବାକୁ କୋର୍ଟ କହିଛନ୍ତି ।