ସ୍କୁଲ ଫି ଛାଡ ମାମଲା: ଶୁଣାଣି କରି ସୁପ୍ରିମକୋର୍ଟ କଲେ ପ୍ରଶ୍ନ, କାହିଁକି କମିବ ନାହିଁ ସ୍କୁଲ ଫି?

2,085

କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ବର୍ତମାନ ସମସ୍ତ ସ୍କୁଲରେ ଅନଲାଇନ କ୍ଲାସ ଚାଲିଛି । ଅନଲାଇନ କ୍ଲାସ ଚାଲୁଥିବା ଯୋଗୁଁ ସ୍କୁଲ ଫି ହ୍ରାସ କରିବା ଉପରେ ସମସ୍ତ ସ୍କୁଲ ବିଚାର କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏ.ଏମ ଖାନୱାଲିକର ଓ ଦିନେଶ ମାହେଶ୍ୱରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଅନଲାଇନ କ୍ଲାସ ଯୋଗୁଁ ସ୍କୁଲ ପରିସରରେ ଥିବା ପେଟ୍ରୋଲ, ଡିଜେଲ, ଇଲେକ୍ଟ୍ରି ଓ ରକ୍ଷାଣବେକ୍ଷଣ ଖର୍ଚ୍ଚ ହ୍ରାସ ପାଇଛି । ତେଣୁ ଏଭଳି ସ୍ଥିିତିରେ ଛାତ୍ରଛାତ୍ରୀଙ୍କ ଫି ହ୍ରାସ କରିବା ଉଚିତ ।

ଯଦି ଫି ଛାଡ ନକରି ଅଭିଭାବକଙ୍କୁ ସମସ୍ତ ଦେୟ ଦେବାକୁ ଦାବି କରାଗଲେ ଏହା ଏକପ୍ରକାର ବ୍ୟବସାୟ ମନୋଭାବନାର ସଙ୍କେତ ବୋଲି କହିଛନ୍ତି ଖଣ୍ଡପୀଠ । କରୋନା ମହାମାରୀ କାରଣରୁ ଅଭିଭାବକମାନେ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ ଶିକ୍ଷାନୁଷ୍ଠାନ ଗୁଡିକ ଏହି ଦିଗରେ ଯତ୍ନବାନ ହେବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପାଠପଡା ଖର୍ଚ୍ଚ ସହ ଅନ୍ୟାନ୍ୟ ସୁବିଧା ବାବଦକୁ ସ୍କୁଲରେ ଅର୍ଥରାଶି ପୈଠ କରିଥାନ୍ତି । ଅନଲାଇନ କ୍ଲାସରେ ସେହି ସୁବିଧାରୁ ଛାତ୍ରଛାତ୍ରୀ ବଂଚିତ ରହୁଛନ୍ତି ତେଣୁ ସ୍କୁଲ ଫି କମାଇବା ଦ୍ୱାରା ଅଭିଭାବକଙ୍କ ଉପରେ ଚାପ କମ ରହିବ ବୋଲି ଖଣ୍ଡପୀଠ କହିଛନ୍ତି ।