କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟ ନିଟ୍ ୟୁଜି ପରୀକ୍ଷା ମାମଲାରେ ଚୂଡାନ୍ତ ରାୟ ଶୁଣାଣି କରିପାରନ୍ତି। ଏହାପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ରିପୋର୍ଟ ଦାଖଲ କରିଛନ୍ତି। ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ପରେ ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଏବଂ ଏନଟିଏକୁ ବୁଧବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ । ସୋମବାର ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ପ୍ରଶ୍ନପତ୍ର ଲିକର କାରଣ ଏବଂ ଦାଗୀ ପରୀକ୍ଷାର୍ଥୀଙ୍କୁ ଅନ୍ୟମାନଙ୍କଠାରୁ ଚିହ୍ନଟ କରିବାର ସମ୍ଭାବନା ଉପରେ ଜବାବ ଦାଖଲ କରିବାକୁ କହିଥିଲେ।

Advertisment

ନିଟ୍-ୟୁଜି ପରୀକ୍ଷାର ତଥ୍ୟ ଅନୁଧ୍ୟାନ ପରେ ସରକାର ଆଇଆଇଟି ମାଡ୍ରାସର ଏକ ରିପୋର୍ଟକୁ ନିଜ ସତ୍ୟପାଠରେ ଯୋଡ଼ିଛନ୍ତି । ଯେଉଁଥିରେ କୁହାଯାଇଛି ଯେ "ସାମୂହିକ ଅନିୟମିତତାର କୌଣସି ସଙ୍କେତ ନାହିଁ "। ସରକାର କହିଛନ୍ତି ଯେ ତଥ୍ୟ ବିଶ୍ଳେଷଣରେ କୌଣସି ବଡ଼ ଧରଣର ଅନିୟମିତତା ହୋଇଥିବାର ସଂକେତ ମିଳିନାହିଁ। ତେଣୁ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସରକାର ସମର୍ଥନ କରୁନାହାନ୍ତି ବୋଲି କୁହାଯାଉଛି। ଜୁଲାଇ ତୃତୀୟ ସପ୍ତାହରୁ ନିଟ୍ କାଉନସେଲିଂ ଆରମ୍ଭ ହେବ। ଏହି ମାମଲାରେ ଏନଟିଏ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି।