ପିତାଙ୍କ ସମ୍ପତ୍ତି ଉପରେ ଝିଅଙ୍କ ଅଧିକାରକୁ ନେଇ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଜାଣନ୍ତୁ କିଏ ଓ କେମିତି ପାଇବେ ସମ୍ପତ୍ତିର ଅଧିକାର

1,331

କନକ ବ୍ୟୁରୋ : ପିତାଙ୍କ ସମ୍ପତ୍ତିରୁ ଝିଅମାନେ କେମିତି ପାଇବେ ଅଧିକାର, ଏହି ଅଧିକାରର ପରିସୀମା କେତେ ପର୍ଯ୍ୟନ୍ତ ବ୍ୟାପ୍ତ । ତା ଉପରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଗୁରୁବାର ଦିନ ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଅବ୍ଦୁଲ ନଜିର ଓ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଏହା ଉପରେ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ବିଚାରପତି କହିଛନ୍ତି କି ୧୯୫୬ ପୂର୍ବରୁ ବି ଥିବା ମାମଲାରେ କନ୍ୟା ମାନେ ପୁତ୍ରମାନଙ୍କ ସହ ସମାନ ଭାବେ ପିତାଙ୍କ ସମ୍ପତ୍ତିରୁ ଭାଗ ପାଇପାରିବେ । ଏହାସହ ଯଦି ମୃତ୍ୟୁ ପୂର୍ବରୁ ବାପା ତାଙ୍କର ସମ୍ପତ୍ତି  ପିଲାମାନଙ୍କ ନାମରେ ଦଲିଲ କରି ନାହାଁନ୍ତି ତାହେଲେ ବି ପିତାଙ୍କ ସ୍ୱଅର୍ଜିତ ସମ୍ପତ୍ତିରୁ ପୁଅମାନଙ୍କ ସହ ଝିଅମାନେ ବି ସମାନ ଭାଗ ପାଇପାରିବେ ।

କହିରଖୁ କି ୧୯୫୬ ମସିହାରେ ଦେଶରେ ହିନ୍ଦୁ ଉତ୍ତରାଧିକାରୀ ଆଇନ ଲାଗୁ ହୋଇଥିଲା । ଏହି ଆଇନରେ ପିତାଙ୍କ ସମ୍ପତ୍ତିରେ ପୁଅ ଓ ଝିଅଙ୍କୁ ସମାନ ଅଧିକାର ଦିଆଯାଇଛି । ୨୦୦୫ ରେ ଏହି ଆଇନର ସଂଶୋଧନ କରାଯାଇ ସଂଯୁକ୍ତ ପରିବାରରେ ରହୁଥିବା ବାପାଙ୍କ ସମ୍ପତ୍ତିରୁ ବି ଝିଅ ଓ ପୁଅଙ୍କୁ ସମାନ ଭାଗ ମିଳିବ ବୋଲି କୁହାଯାଇଥିଲା । ଏହାପରେ ୨୦୨୦ ରେ ପୁଣିଥରେ ନ୍ୟାୟାଳର ଝିଅମାନଙ୍କ ଅଧିକାରକୁ ଆହୁରି ବିସ୍ତାରିତ କରିଥିଲା ।