ଆଧାର ଟେନସନ ଗଲା ! ମାର୍ଚ୍ଚ ୩୧ ସୁଦ୍ଧା କରିବାକୁ ପଡିବନି ଆଧାର ଲିଙ୍କ୍ , ଅନିଦ୍ଦିଷ୍ଟ କାଳ ଯାଏଁ ଡେଡଲାଇନ ବଢାଇଲେ ସୁପ୍ରିମକୋର୍ଟ

40

ବ୍ୟାଙ୍କ ଖାତା, ମୋବାଇଲ ନମ୍ବର, ବିଭିନ୍ନ ସରକାରୀ ସ୍କିମ ସହ ଯଦି ଆଧାର ନମ୍ବର ଲିଙ୍କ କରି ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆଧାର ନମ୍ବର ଲିଙ୍କର ସମୟସୀମାକୁ ଅନିଦ୍ଦିଷ୍ଟ କାଳ ପାଇଁ ବଢାଇ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଆଧାରକାର୍ଡ ଲିଙ୍କର ଡେଡଲାଇନକୁ ବଢାଇ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ରିହାତି ଦରରେ ମିଳୁଥିବା ସେବା ଗୁଡିକ କ୍ଷେତ୍ରରେ ଆଧାରକାର୍ଡ ଜରୁରୀ ବୋଲି ସୂଚନା ଦେଇଛନ୍ତି କୋର୍ଟ ।

ମୋବାଇଲ, ପାସପୋର୍ଟ, ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କର ଅବଧିକୁ ବଢାଇବା ସହ ତକ୍ରାଳ ପାସପୋର୍ଟ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ପୂର୍ବରୁ ଏକ ମାମଲା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ବ୍ୟାଙ୍କଖାତା ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ କରିଥିଲେ ।

ଦେଶରୁ କଳାଧନକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ବ୍ୟାଙ୍କ ଖାତା, ମ୍ୟୁଚୁଆଲ ଫଣ୍ଡ ଓ ବୀମା ପଲିସୀ ସହ ଆଧାର ଲିଙ୍କ୍ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏଥିଲାଗି ଡିସେମ୍ବର ୩୧ ଶେଷ ତାରିଖ ରଖାଯାଇଥିଲା । କିନ୍ତୁ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଏହି ସମୟସୀମାକୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବଢାଇଦେଇଥିଲେ । ଏହା ପରେ ସରକାରଙ୍କ ପକ୍ଷରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେଉଁଥିରେ ଡିସେମ୍ବର ୩୧ ଶେଷ ତାରିଖକୁ ଉଠାଇ ଦିଆଯାଇ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖ ବୋଲି ଲେଖାଯାଇଥିଲା ।