କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତରିତ ହୋଇଥିବା ଚିତାମାନଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତାପ୍ରକଟ କରିଛନ୍ତି । ଏହାକୁ ଏକ ସମ୍ମାନର ପ୍ରସଙ୍ଗ ନ କରିବା ସହ ଏହାର ସମାଧାନ ପାଇଁ କିଛି ସକାରାତ୍ମକ ପଦକ୍ଷେପ ନେବାକୁ ଶୀର୍ଷ କୋର୍ଟ କେନ୍ଦ୍ରକୁ କହିଛନ୍ତି । ଗତ ୪ ମାସ ମଧ୍ୟରେ ୩ଟି ଛୁଆଙ୍କ ସମେତ ସମୁଦାୟ ୮ଟି ଚିତାଙ୍କ ମୃତ୍ୟୁ ଘଟିଛି । ସରକାର ପକ୍ଷ ରଖି ଖଣ୍ଡପୀଠଙ୍କୁ କହିଛନ୍ତି, ଆମେ ଏହି ସମ୍ମାନଜନକ ପ୍ରକଳ୍ପ ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ । ଖଣ୍ଡପୀଠ କହିଛନ୍ତି, ବର୍ଷକରୁ କମ୍ ସମୟ ମଧ୍ୟରେ ହେଉଥିବା ମୃତ୍ୟୁର ୪୦ ପ୍ରତିଶତ ଭଲ ଚିତ୍ର ଦେଇ ନଥାଏ । ୨୦ ଟି ଚିତାଙ୍କ ମଧ୍ୟରୁ ୮ ଟି ଚିତାଙ୍କର ମୃତ୍ୟୁ ଘଟିଛି । ଏହା ଆଶାନୁରୂପ ଥିଲା । ସ୍ଥାନାନ୍ତରରେ ୫୦ ପ୍ରତିଶତ ମୃତ୍ୟୁ ସ୍ୱାଭାବିକ ବୋଲି ସରକାର କହିଛନ୍ତି । ଏହାପରେ ଜଷ୍ଟିସ ପାର୍ଦିୱାଲା କହିଛନ୍ତି, ତେବେ ସମସ୍ୟା କ’ଣ? ଆମର ଜଳବାୟୁ କ’ଣ ସେମାନଙ୍କ ପାଇଁ ଅନୁକୂଳ ନୁହେଁ କି? କିଡନି ନା ଶ୍ୱାସଜନିତ ସମସ୍ୟା? ଏହାର ଜବାବରେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ ସଂକ୍ରମଣ ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟୁଛି । ସେ ଖଣ୍ଡପୀଠଙ୍କୁ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ମୃତ୍ୟୁର ବିସ୍ତୃତ ବିଶ୍ଳେଷଣ ଚାଲିଛି ।