ତେଜ୍ ବାହାଦୂରଙ୍କୁ ‘ସୁପ୍ରିମ୍’ ଝଟକା । ନିର୍ବାଚନ ଆୟୋଗଙ୍କ ପ୍ରାର୍ଥୀପତ୍ର ରଦ୍ଦ ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ୍ ।

271

କନକ ବ୍ୟୁରୋ : ଖାରଜ ହେଲା ତେଜ ବାହାଦୂରଙ୍କ ଆବେଦନ । ବିଏସଏଫରୁ ବହିଷ୍କୃତ ଯବାନ ତଥା ବାରାଣାସୀରେ ସମାଜବାଦି ପାର୍ଟିର ପ୍ରାର୍ଥୀ ହୋଇଥିବା ତେଜବାହାଦୂର ଯାଦବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଆୟୋଗ ଯାଦବଙ୍କ ପାର୍ଥୀପତ୍ରକୁ ରଦ୍ଦ କରିଦେଇଥିବାରୁ ତାହାକୁ ଚ୍ୟାଲେଞ୍ଜ କରି ଯାଦବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ତେଜ ବାହାଦୁର ବାରଣାସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ଜଣେ ସପା ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେବେ ପୂର୍ବରୁ ମଧ୍ୟ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । କିନ୍ତୁ ଦୁଇଟି ଯାକ ପ୍ରାର୍ଥୀପତ୍ରରେ ବିସଙ୍ଗତି ଥିବା ଦେଖି ନିର୍ବାଚନ କମିସନ୍ ତାଙ୍କୁ ବିଏସଏଫରୁ ଏନ୍ଓସି ଆଣିବାକୁ କହିଥିଲେ । ତେବେ ତେଜବାହାଦୁର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଏସଏଫରୁ ଏନ୍ଓସି ଆଣିବାରେ ବିଫଳ ହେବାରୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଇଥିଲା । ଆୟୋଗର ଏହି ରାୟ ବିରୋଧରେ ଯାଦବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗତ ବର୍ଷ ସେ ବିଏସଏଫରେ ଖରାପ ଖାଦ୍ୟକୁ ନେଇ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କୁ ବିଏସଏଫରୁ ବହିଷ୍କାର କରାଯାଇଥିଲା ।