କନକ ବ୍ୟୁରୋ: ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ, ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ୫ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଜଷ୍ଟିସ୍ ସଞ୍ଜୀବ କୁମାର, ବିଆର ଗୱାଇ, ଜେବି ପରଦିୱାଲା ଓ ମନୋଜ ମିଶ୍ର ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ।

Advertisment
  • ଏସବିଆଇକୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ
  • କାଲି ସୁଦ୍ଧା ତଥ୍ୟ ପୈଠ କରିବାକୁ ନିର୍ଦ୍ଦେଶ

ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ତଥ୍ୟ ଦେବାକୁ ଅଧିକ ସମୟ ଦେବାକୁ ଏସବିଆଇ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିବା ସହ କଡା ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାର୍ଚ୍ଚ ୧୨ ସନ୍ଧ୍ୟା ୫ଟା ସୁଦ୍ଧା ଇଲକ୍ଟୋରାଲ ବଣ୍ଡକୁ ନେଇ ସମସ୍ତ ତଥ୍ୟ ପୈଠ କରିବାକୁ ନିର୍ବାଚନ କମିଶନ୍ ଓ ଏସବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାସ ୧୫ତାରିଖରେ ଇଲେକ୍ଟୋରାଲ ବଣ୍ଡକୁ ଅସିଦ୍ଧ ଘୋଷଣା କରିବା ସହିତ, ଏ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ଏକ ଗୁପ୍ତ ପ୍ରକ୍ରିୟା, ସମସ୍ତ ତଥ୍ୟ ଦାଖଲ କରିବାକୁ ୪ମାସ ସମୟ ଲାଗିବ ବୋଲି ଦର୍ଶାଇ ଜୁନ୍ ପର୍ଯ୍ୟନ୍ତ ସମୟ ମାଗିଥିଲେ ଏସବିଆଇ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ । ହେଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏସବିଆଇ ଉପରେ ବର୍ଷିବା ସହ ଆସନ୍ତାକାଲି ଭିତରେ ତଥ୍ୟ ଦେବାକୁ କହିଛନ୍ତି ।

SBIକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

  • ୨୬ ଦିନ ବିତିଥିଲେ ସୁଦ୍ଧା କ’ଣ ପାଇଁ କୋର୍ଟରେ ତଥ୍ୟ ଦାଖଲ କରାଯାଇନି?
  • ତଥ୍ୟ ମିଳାଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ କାହିଁକି ପାଳନ କରାଯାଇନାହିଁ?
  • ଫେବ୍ରୁଆରୀ ୧୫ରେ ଦିଆଯାଇଥିବା ନିର୍ଦ୍ଦେଶକୁ କାହିଁକି ଅନୁପାଳନ କରାଯାଇନି?
  • କାଲି ସୁଦ୍ଧା ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରନ୍ତୁ

ସୂଚନାଯୋଗ୍ୟ ଯେ, ଯେକୌଣସି ବ୍ୟକ୍ତି କିମ୍ବା ବ୍ୟବସାୟିକ ସଂସ୍ଥା ନିଜ ପରିଚୟ ଗୋପନ ରଖି ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଇପାରିବେ ବୋଲି ୨୦୧୮ ଜାନୁଆରୀରେ ମୋଦୀ ସରକାର ନିୟମ ଆଣିଥିଲେ । ଷ୍ଟେଟ ବ୍ୟାଙ୍କରେ ୧ହଜାର ଟଙ୍କାରୁ ଆରମ୍ଭ କରି ୧କୋଟି ପର୍ଯ୍ୟନ୍ତ ଟଙ୍କାର ବଣ୍ଡ କିଣି ପାରିବାର ବ୍ୟବସ୍ଥା ଥିଲା । ଏହି ନିୟମ ବଳରେ ଗତ ବର୍ଷ ସବୁଠାରୁ ଅଧିକ ଟଙ୍କାର ଚାନ୍ଦା ପାଇଥିଲା ଭାରତୀୟ ଜନତା ପାର୍ଟି ।