ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ । ଏମଓୟୁ କରିନଥିବା ସ୍କୁଲ ଉପରେ ଲାଗୁ ହେବନି ସରକାରଙ୍କ ଫି’ ହ୍ରାସ ବିଜ୍ଞପ୍ତି

152

କନକ ବ୍ୟୁରୋ: କରୋନା ଯୋଗୁଁ ଘରୋଇ ସ୍କୁଲ ଫି’ ହ୍ରାସ ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା ଓଡ଼ିଶା ଆଇସିଏସଇ ସ୍କୁଲ ସଂଘ । ପିଟିସନ ଦାୟର କରିଥିବା ସଂଘ ଯୁକ୍ତି ବାଢ଼ିଥିଲା, ଯେଉଁ ସ୍କୁଲଗୁଡିକ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ କରିଥିଲେ, ସେମାନଙ୍କ ମଧ୍ୟରେ ଆଇସିଏସଇ ସ୍କୁଲ ସଂଘରେ ଅନ୍ତର୍ଭୁକ୍ତ ଥିବା ସ୍କୁଲଗୁଡିକ ନାହାନ୍ତି । ତେଣୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଏହି ସ୍କୁଲଗୁଡିକ ଉପରେ ଲାଗୁ ହେବନାହିଁ ।

ସ୍କୁଲ ଫି’ ହ୍ରାସ ନେଇ ଗତ ଜାନୁଆରି ୭ ତାରିଖରେ ରାୟ ଦେଇଥିଲେ ହାଇକୋର୍ଟ । ଜାନୁଆରୀ ୧୯ ତାରିଖରେ ଫି’ କମାଇବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ସ୍କୁଲ ସଂଘର ଯୁକ୍ତି ହେଉଛି, ଏହା କେବଳ ରାଜ୍ୟ ସରକାରଙ୍କ ସହ ଏ ନେଇ ଏମଓୟୁ କରିଥିବା ସ୍କୁଲ ପାଇଁ ଉଦ୍ଦିଷ୍ଟ ।

ତେବେ ନଜର ପକାନ୍ତୁ, ସୁପ୍ରିମକୋର୍ଟଙ୍କ ରାୟ ଉପରେ – 

  • ଚୁକ୍ତିପତ୍ରରେ ସ୍ୱାକ୍ଷର କରିନଥିବା ସ୍କୁଲ ଉପରେ ଲାଗୁ ହେବନାହିଁ ଫି’ ହ୍ରାସ ବିଜ୍ଞପ୍ତି
  • ରାଜ୍ୟ ସରକାର ଏହି ସ୍କୁଲ ସଂଘ ସହ ସାନି ଆଲୋଚନା କରିପାରିବେ
  • ସହମତି ପ୍ରକାଶ ପାଇଲେ ଆଇନ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିପାରିବେ ରାଜ୍ୟ ସରକାର
  • ସରକାରଙ୍କ ନୂଆ ବିଜ୍ଞପ୍ତି ଉପରେ ଅସନ୍ତୋଷ ଥିଲେ ହାଇକୋର୍ଟକୁ ଯାଇପାରିବେ ସ୍କୁଲ ସଂଘ

ଆବେଦନକାରୀଙ୍କ ଦାବି କେତେ ଯୁକ୍ତିଯୁକ୍ତ ଏ ନେଇ ଟିପଣୀ ଦେଇନାହାନ୍ତି ସୁପ୍ରିମକୋର୍ଟ । କିମ୍ବା ରାଜ୍ୟ ସରକାରଙ୍କ କ୍ଷମତା ସଂପର୍କରେ ମଧ୍ୟ କିଛି କହିନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋଟଙ୍କ ରାୟକୁ ଫେଡେରେସନ୍ ଅଫ୍ ପ୍ରାଇଭେଟ ସ୍କୁଲ୍ସ ତର୍ଜମା କରି କହିଛି, ଏମଓୟୁରେ ସାମିଲ ନଥିବା ସ୍କୁଲଗୁଡିକ ଉପରେ ସରକାରଙ୍କ ଫି’ ଛାଡ଼ ବିଜ୍ଞପ୍ତି ଲାଗୁ ହେବନାହିଁ । ରାୟକୁ ତର୍ଜମା କରି ସଂଘ ଆହୁରି ମଧ୍ୟ କହିଛି, ସମସ୍ତ ବିଦ୍ୟାଳୟ ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଶତ ପ୍ରତିଶତ ସ୍କୁଲ ଦେୟ ଅଭିଭାବକମାନଙ୍କ ଠାରୁ ୬ଟି କିସ୍ତିରେ ଆଦାୟ କରିପାରିବେ ।

ସେପଟେ ଅଭିିଭାବକ ମହାସଂଘ ଦାବି କରିଛି, ଫି’ ଛାଡ଼ ମାମଲାରେ ରାଜ୍ୟ ସରକାର ଆଇସିଏସଇ, ସିବିଏସଇ ଆଦି ସମସ୍ତ ବୋର୍ଡ ପାଇଁ ଏକକ ବ୍ୟବସ୍ଥା କରି ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରନ୍ତୁ । ତେବେ  ସ୍କୁଲ ଫି’ ଛାଡ ପ୍ରସଙ୍ଗରେ ଏବେ ପୁଣିଥରେ ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏ ନେଇ କି ପଦକ୍ଷେପ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।