କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜବୀ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦୋଷୀ ନଳିନୀ ଶ୍ରୀହରଙ୍କ ସମେତ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି ରାଜ୍ୟପାଳ ଯେତେବେଳେ ପଦକ୍ଷେପ ନନେଲେ ସେତେବେଳେ ଆମକୁ ପଦକ୍ଷେପ ନେବାକୁ ପଡିଲା । କୋର୍ଟ କହିଥିଲେ କି ଦୋଷୀ ପେରାରୀବଲନଙ୍କ ପାଇଁ ଦିଆଯାଇଥିବା ମୁକ୍ତି ଆଦେଶ ଏବେ ସମସ୍ତଙ୍କ ପାଇଁ ଲାଗୁ ହେବ । ଦୋଷୀ ନଳିନୀ ଓ ଅଭିଯୁକ୍ତ ରବିଚନ୍ଦ୍ରନଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବା ନେଇ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି ।

Advertisment

ସେପଟେ ଶୁଣାଣି ବେଳେ ତାମିଲନାଡୁ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏବେ ଆବେଦନ କରାଯାଇ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଆବେଦନକୁ ସମର୍ଥନ କରିଥିଲେ । ନଳିନୀ ଶ୍ରୀହର ଓ ରବିଚନ୍ଦ୍ରନ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଂଚିଥିଲେ । ମାଡ୍ରାସ ହାଇକୋର୍ଟ ଜୁନମାସ ୧୭ ତାରିଖରେ ଉଭୟ ନଳିନୀ ଓ ରବିଚନ୍ଦ୍ରନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ଏବେ ସୁପ୍ରିମକୋର୍ଟ ଯେଉଁମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ସେମାନଙ୍କ ମଧ୍ୟରେ ନଳିନୀ, ରବିଚନ୍ଦ୍ରନ, ମୁରଗନ, ସନ୍ଥନ, ଜୟକୁମାର ଓ ରବର୍ଟ ପାୟସ ସାମିଲ ଅଛନ୍ତି । କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଜେଲରେ ସେମାନଙ୍କ ଆଚରଣକୁ ବି ନଜର ରଖାଯାଇଛି । ଏହାସହ ସେମାନେ ୩୦ ବର୍ଷରୁ ଅଧିକ ସମୟ ଜେଲରେ କାଟି ସାରିଛନ୍ତି ।