ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ଅଡିଟ୍ ଟିମର ଖୁଲାସା । ଆବଶ୍ୟକତା ଠାରୁ ୪ ଗୁଣା ଅଧିକ ଅକ୍ସିଜେନ ମାଗିଥିଲେ ଦିଲ୍ଲୀ ସରକାର ।

298

କନକ ବ୍ୟୁରୋ : ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ଅକ୍ସିଜେନ କମିଟି ଅକ୍ସିଜେନ ଯୋଗାଣକୁ ନେଇ ଦିଲ୍ଲୀ ସରକାରଙ୍କୁ କାଠଗଡାରେ ଠିଆ କରାଯାଇଛନ୍ତି । ରାଜଧାନୀ ଦିଲ୍ଲୀରେ ଏପ୍ରିିଲ ୩୦ ଠାରୁ ମେ ୧୦ ତାରିଖ ମଧ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଶୀର୍ଷରେ ଥିଲା । ଏହି ସମୟରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଆବଶ୍ୟକତା ଠାରୁ ଅଧିକ ୪ ଗୁଣା ଅକ୍ସିଜେନ ମାଗିଥିବା ନେଇ କମିଟି ସୁପ୍ରିମକୋର୍ଟରେ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛି । ଏନେଇ କମିଟି ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କହିଛି କି ଯଦି ଦିଲ୍ଲୀ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ସରକାର ଅକ୍ସିଜେନ ଯୋଗାଇ ଥାନ୍ତେ ତେବେ ୧୨ ଟି ରାଜ୍ୟରେ ଅକ୍ସିଜେନର ଅଭାବ ଦେଖା ଦେଇଥାନ୍ତା ।

କମିଟି ତା’ର ରିପୋର୍ଟରେ କହିଛି କି, ଦିଲ୍ଲୀରେ ମେଡିକାଲର ଶଯ୍ୟା କ୍ଷମତା ହିସାବରେ ୨୮୯ ମେଟ୍ରିକ ଟନ୍ ମେଡିକାଲ ଅକ୍ସିଜେନର ଅବଶ୍ୟକତା ଥିଲା । ହେଲେ ଦିଲ୍ଲୀ ସରକାର ବାରମ୍ବାର ୧,୧୪୦ ମେଟ୍ରିକ ଟନ୍ ଅକ୍ସିଜେନ ପାଇଁ ଦାବି କରୁଥିଲେ । ଯାହାକି ଆବଶ୍ୟକତାର ୪ ଗୁଣା ବୋଲି ରିପୋର୍ଟରେ କୁହାଯାଇଛି । ଅନ୍ୟପଟେ ବାସ୍ତବ ଆବଶ୍ୟତା ଠାରୁ ଅଧିକ ଅକ୍ସିଜେନ ଦିଲ୍ଲୀକୁ ଯୋଗାଇ ଦିଆଯାଇଥିବରା କଥା ରିପୋର୍ଟରେ କୁହାଯାଇଛି ।

ସୂଚନା ଥାଉକି ମେ ୫ ତାରିଖରେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ରାଜଧାନୀ ଦିଲ୍ଲୀରେ ଅକ୍ସିଜେନର ଅଭାବକୁ ନେଇ ଦିଲ୍ଲୀ ସରକାରଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଶୁଣାଣି କରିଥିଲେ । ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଉ । ଏହାସହ ଅକ୍ସିଜେନ ଯୋଗାଣ ନେଇ ଅଡିଟ୍ କରିବାକୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିୟାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଦିଲ୍ଲୀ ସରକାରଙ୍କ ପ୍ରଧାନ ଗୃହ ସଚିବ ଭୂପିନ୍ଦର ଏସ୍ ଭାଲ୍ଲା, ମ୍ୟାକ୍ସ ହସ୍ପିଟାଲର ଡାକ୍ତର ସନ୍ଦୀପ ବୁଦ୍ଧିରାଜା,କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ସୁବୋଧ ଯାଦବ, ଓ ସଂଜୟ କେ ସିଂ ସାମିଲ ଥିଲେ ।