କନକ ବ୍ୟୁରୋ: ହେଟ୍ ସ୍ପିଚ୍ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ କେନ୍ଦ୍ର ଉପରେ ବର୍ଷିଛନ୍ତି କୋର୍ଟ । ଯଥା ସମ୍ଭବ ଧର୍ମଠାରୁ ରାଜନୀତିକୁ ଅଲଗା ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

Advertisment

ଦେଶରେ ହେଟ୍ ସ୍ପିଚ୍କୁ ନେଇ ଦଙ୍ଗା ସୃଷ୍ଟି ହେଉଥିବାରୁ ଚିନ୍ତା ପ୍ରକଟ କରିନ୍ତି ସର୍ବୋଚ୍ଚ ନ୍ୟାୟାଳୟର କେଏମ୍ ଯୋଶେଫ୍ ଓ ଜଷ୍ଟିସ୍ ବି.ବି ନାଗରତ୍ନାଙ୍କ ଖଣ୍ଡପୀଠ । ଦଙ୍ଗା ସୃଷ୍ଟିକାରୀ ବ୍ୟକ୍ତିଙ୍କ ବିରୋଧରେ ସରକାର କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ସରକାର କ’ଣ ନପୁଂସକ ହୋଇଗଲେଣି ? ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।

 ‘ଅନେକ ରାଜନେତା ନିଜକୁ ସତ୍ତାରେ ରଖିବାକୁ ଧର୍ମକୁ ନେଇ ରାଜନୀତି କରୁଛନ୍ତି । ଲୋକଙ୍କ ଭାବନାକୁ ଆଘାତ କଲାଭଳି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ହେଲେ ତାଙ୍କ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି? କଥା କଥାକେ କିଛି ରାଜନେତା ବିରୋଧୀଙ୍କୁ କଟାକ୍ଷ କରି କହୁଛନ୍ତି ଯଦି ପାରୁଛ ପାକିସ୍ତାନ ପଳାଅ । ଏସବୁ ଦ୍ୱାରା ଦେଶରେ ହିଂସା ବଢୁଛି । ତେଣୁ ପ୍ରତ୍ୟେକ ନିଜ ନିଜ ଦାୟିତ୍ୱ ଭାବରେ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ ବୋଲି କହିଛନ୍ତି ଖଣ୍ଡପୀଠ ।